Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହିଁକି ବରଗଡରୁ ଶେଷ ମୁହୂର୍ତରେ କଟିଲା ମୂରଲୀକ୍ରିଷ୍ଣାଙ୍କ ଟିକେଟ୍ ? ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଜେପି ଓଡିଶାର ୨୧ ଲୋକସଭାରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ତାଲିକାରେ ୪ ସାଂସଦଙ୍କ ଟିକେଟ୍ କଟାଯାଇଥିବା ଛଅ ନୂଆ ମୁହଁ ସାମିଲ ହୋଇଛନ୍ତି । ଆଶା ଅନୁଯାୟୀ ବରଗଡର ସାଂସଦ ସୁରେଶ ପୂଜାରୀଙ୍କ ଟିକେଟ୍ କାଟିଛି ଦଳ । କିନ୍ତୁ ଯାହାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଗଲା ତାହା କେହି ବି ପୂର୍ବାନୁମାନ କରି ନ ଥିଲେ । ଟାଣୁଆ ନେତା ପ୍ରଦୀପ ପୁରୋହିତଙ୍କୁ ବିଜେପି ବରଗଡ ସଂସଦୀୟ ଆସନରୁ ପ୍ରାର୍ଥୀ କରିଛି । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏହା ନିଶ୍ଚିତ ଲାଗୁଥିଲା ଯେ, ବିକାଶ ଗ୍ରୁପର ଅଧ୍ୟକ୍ଷ ଡି ମୂରଲୀକ୍ରିଷ୍ଣାଙ୍କୁ ବଗଡର ଲୋକସଭା ଆସନରୁ ଟିକେଟ୍ ମିଳିବ । କିନ୍ତୁ ଶେଷ ମୁହୂର୍ତରେ ମୂରଲୀକ୍ରିଷ୍ଣାଙ୍କୁ ନିରାଶ ହେବାକୁ ପଡୁଛି । ଆଉ ତାଙ୍କୁ ଟିକେଟ୍ ନ ମିଳିବା ପଛର କାରଣ ଭିକେ ପାଣ୍ଡିଆନଙ୍କୁ ଚେକ୍ ଦେବା ଅର୍ଥାତ ଓଡିଆ ଅସ୍ମିତାକୁ ଅଗ୍ରାଧିକାର ଦେବା ରହିଛି । ପୁଣି ମୂରଲୀକ୍ରିଷ୍ଣା ମୂଳତଃ ଆନ୍ଧ୍ର ପ୍ରଦେଶର ।

୨୦୧୯ ନିର୍ବାଚନରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବିଜୟ ସାରା ରାଜ୍ୟରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସଂସଦୀୟ କ୍ଷେତ୍ରର ସବୁ ବିଧାୟକ ବିଜେଡିର ଥିଲେ ମଧ୍ୟ ଲୋକସଭା ସିଟକୁ ଜିତିବାରେ ସଫଳ ହୋଇଥିଲା ବିଜେପି। ଏଥିରୁ ବରଗଡ଼ ଜନତାଙ୍କ ପରିପକ୍ଵତାକୁ ସୂଚାଇଥାଏ। ଏଠାରୁ ଜିତିବା ପରେ ବି ସୁରେଶ ପୂଜାରୀଙ୍କ ଲୋକଙ୍କ ସଂପର୍କ ରହି ନ ଥିଲା । ପୁଣି ବରଗଡ ଲୋକସଭା କ୍ଷେତ୍ରରେ ଆସୁଥିବା ବିଜେପୁର, ବ୍ରଜରାଜନଗର,ପଦ୍ମପୁର ଓ ଝାରସୁଗୁଡା ଉପ ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ବିଜେପି ସାଂସଦ ଥାଇ ବି ଦଳ ଗୋଟିଏ ବି ସିଟ୍ ଜିତି ପାରି ନ ଥିଲା । ଏହା ପରେ ଡି ମୂରଲୀକ୍ରିଷ୍ଣାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ବରଗଡରେ ମଧ୍ୟ ମୂରଲୀକ୍ରିଷ୍ଣାଙ୍କ ଗତିବିଧି ବଢିବାରେ ଲାଗିଥିଲା । କାରଣ ମୂରଲୀକ୍ରିଷ୍ଣା ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନେକ ମାଇଲଖୁଂଟ ସ୍ଥାପନ କରିଥିଲେ । ନିଜସ୍ୱ ଭୋଟ୍ ବ୍ୟାଙ୍କ ମଧ୍ୟ ରହିଥିଲା । ତେଣୁ ବରଗଡ ସଂସଦୀୟ କ୍ଷେତ୍ରରୁ ମୂରଲୀକ୍ରିଷ୍ଣାଙ୍କ ନାଁ ସର୍ବାଗ୍ରେ ରହିଥିଲା ।

ତେବେ ମୂରଲୀକ୍ରିଷ୍ଣାଙ୍କୁ କାହିଁକି ଟିକେଟ୍ ମିଳିଲା ନାହିଁ । ବିଜେପି ନେତା ଓ ରାଜ୍ୟ ସଭାପତି ଓଡିଆ ଅସ୍ମିତା ପାଇଁ ଏଥର ନିର୍ବାଚନ ଲଢାଯିବ ବୋଲି କହି ଆସିଥିଲେ । ଓଡିଆ ଅସ୍ମିତା ଏବଂ ଓଡିଆ ପ୍ରଥମ ନାରା ଦେଇ ବିଜେପି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିଲେ । ପାଣ୍ଡିଆନ ତାମିଲନାଡୁର ହୋଇ ଓଡିଆଙ୍କ ଉପରେ ଶାସନ କରୁଥିବା ବିଜେପି ଅଭିଯୋଗ କରି ଆସିଛି । ଯଦି ପାଣ୍ଡିଆନଙ୍କୁ ବିରୋଧ କରୁଛି ଦଳ ତେବେ ଆନ୍ଧ୍ର ପ୍ରଦେଶର ମୂରଲୀକ୍ରିଷ୍ଣାଙ୍କୁ କେମିତି ଟିକେଟ୍ ଦେବ, ଏହା ମଧ୍ୟ ବଡ ପ୍ରଶ୍ନ ସୃଷ୍ଟି କରିଥିଲା । କାରଣ ପୂର୍ବରୁ ଦଳ ଅପରାଜିତା ଷଡଙ୍ଗୀଙ୍କୁ ଟିକେଟ୍ ଦେଇ ସାରିଛି । ଅପରାଜିତ ଓଡିଆର ବୋହୂ ହୋଇଥିଲେ ହେଁ ସେ ମୂଳତଃ ବିହାରର । ତେଣୁ ଦଳ ଆଉ ଜଣେ ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ଉଚିତ୍ ମଣି ନ ଥିଲା । ଯଦି ମୂରଲିକ୍ରୀଷ୍ଣାଙ୍କୁ ପ୍ରାର୍ଥୀ କରାଯାଇଥାନ୍ତା ତେବେ ବିଜେପିର ଓଡିଆ ଅସ୍ମିତା ନାରାକୁ ଜନତା ପ୍ରହସନ ଭାବିଥାନ୍ତେ । ଏବେ ବିଜେପି କହି ପାରିବ ଆମେ ଓଡିଆ ପ୍ରଥମ ଆଧାରରେ ମୂରଲୀକ୍ରିଷ୍ଣାଙ୍କ ପରି ବ୍ୟକ୍ତିଙ୍କୁ ଟିକେଟ୍ ଦେଇନୁ । ମୋଟାମୋଟି କହିବାକୁ ଗଲେ ପାଣ୍ଡିଆନଙ୍କୁ ଚେକ୍ ଦେବା ପାଇଁ ମୂରଲୀକ୍ରିଷ୍ଣାଙ୍କୁ ବିଜେପି ପ୍ରାର୍ଥୀ କରି ନାହିଁ ।

ତେବେ ମୂରଲୀକ୍ରିଷ୍ଣାଙ୍କୁ ବିଜେପି ରାଜ୍ୟସଭାକୁ ପଠାଇପାରେ ବୋଲି କୁହାଯାଉଛି । ଏଥର ନିର୍ବାଚନରେ ବିଜେପି ଭଲ ଆସନ ଜିତିଲେ ମୂରଲୀକ୍ରିଷ୍ଣାଙ୍କୁ ସଂସଦର ଉଚ୍ଚ ସଦନକୁ ପଠାଇପାରେ । ସେହିପରି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରି ବିଜେପି ବିଜେଡିର ଚିନ୍ତାକୁ ବଢାଇ ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ