ସମ୍ବଲପୁର: ୨୦୨୪ ସାଧାରଣ ନିର୍ବାଚନରେ ଯଦି କେଉଁ ଆସନ ଉପରେ ସଭିଙ୍କ ନଜର ରହିବ ତାହା ହେଉଛି ସମ୍ବଲପୁର । କାରଣ ଏହି ସଂସଦୀୟ କ୍ଷେତ୍ରରେ ହେବାକୁ ଯାଉଛି ହାଇଭୋଲଟେଜ୍ ମୁକାବିଲା । ମଇଦାନରେ ବିଜେପି ତରଫରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ବିଜେଡି ପକ୍ଷରୁ ଅଛନ୍ତି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ନିଜ ଏରିଆ ଛାଡି ପ୍ରଣବଙ୍କୁ ପଶ୍ଚିମାଚଂଳର ଲଢିବାକୁ ଯାଉଛନ୍ତି । ତେବେ ଏହି ନିର୍ବାଚନ ପ୍ରଣବଙ୍କ ଅପେକ୍ଷା ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ଅଧିକ ଗୁରୁତ୍ୱ ବହନ କରୁଛି । କାରଣ ତାଙ୍କର ସମ୍ମାନ, ଖ୍ୟାତି, ପତିଆରା ଓ ରାଜନୈତିକ ଭବିଷ୍ୟତ ସବୁ କିଛି ଏହି ନିର୍ବାଚନର ଫଳାଫଳ ଉପରେ ନିର୍ଭର କରେ । ତେଣୁ ବବିଙ୍କ ଅପେକ୍ଷା ଅଧିକ ଚାପରେ ରହିବେ ଧର୍ମେନ୍ଦ୍ର । ସରଳ ଭାଷାରେ କହିବାକୁ ଗଲେ ଧର୍ମେନ୍ଦ୍ରଙ୍କ ପାଇଁ ଲୋକସଭା ନିର୍ବାଚନ ୨୦୨୪ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।
ଦୀର୍ଘ ୧୫ ବର୍ଷ ପରେ ପ୍ରତ୍ୟେକ୍ଷ ନିର୍ବାଚନ ଲଢିବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶେଷ ଥର ସେ ୨୦୦୯ରେ ନିର୍ବାଚନ ଲଢି ହାରିଥିଲେ । ତା ପରଠୁ ସେ ଆଉ ୨୦୧୪ କିମ୍ବା ୨୦୧୯ ଲଢି ନ ଥିଲେ । ସେ ଏହି ସମୟରେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ମନୋନୀତ ହୋଇ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । କିନ୍ତୁ ଏଥର ତାଙ୍କୁ ପାର୍ଟି ହାଇକମାଣ୍ଡ ନିର୍ବାଚନ ଲଢିବାକୁ କହିବା ପରେ ଧର୍ମେନ୍ଦ୍ର ମଇଦାନକୁ ଓହ୍ଲାଇଛନ୍ତି । ବହୁ ଭାବିଚିନ୍ତି, ସମୀକ୍ଷା ଏବଂ ସର୍ଭେ କରାଇବା ପରେ ସେ ସମ୍ବଲପୁର ଲୋକସଭା ସିଟକୁ ଚୟନ କରିଛନ୍ତି । ନିଜର ଆଗାମୀ ଭବିଷ୍ୟତ କୁଆଡେ ଯିବ ସମ୍ବଲପୁରରୁ ହିଁ ସ୍ଥିର ହେବ । ଧର୍ମେନ୍ଦ୍ରଙ୍କ ସମ୍ବଲପୁରରୁ ଲଢିବା ଘୋଷଣା ହେବା ପରେ ବିଜେଡି ତାର ସବୁଠୁ ବଡ ଯୋଦ୍ଧା ତଥା ଦଳର ସଂଗଠନ ସଂପାଦକ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି । ଏଥର ବିଧାନସଭା ନିର୍ବାଚନରେ ନିଜ ଅଂଚଳରେ ଜିତିବାର ସବୁ ସମ୍ଭାବନା ଥିବା ସତ୍ୱେ ସେ ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢିବା ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ । କାରଣ ସମ୍ବଲପୁରିଆ ଏବଂ କଟକିଆ ଭାବ ବହୁତ ରହିଛି । ଯାହା ବବିଙ୍କୁ ମହଙ୍ଗା ବି ପଡିପାରେ ।
ତେବେ ଯଦି ଏହି ନିର୍ବାଚନ ଜିତିବା ସବୁଠୁ ଅଧିକ କାହା ପାଇଁ ଜରୁରୀ ସେ ହେଉଛି ଧର୍ମେନ୍ଦ୍ର ପ୍ରଧାନ । ଯଦି ନିର୍ବାଚନ ହାରନ୍ତି କେବଳ ରାଜ୍ୟ ନୁହେଁ କେନ୍ଦ୍ରରେ ମଧ୍ୟ ତାଙ୍କର ପତିଆରା କମିବ । ଆଉ ମନ୍ତ୍ରୀ ପଦ ପାଇବା ମୁସ୍କିଲ । ପୁଣି କେନ୍ଦ୍ରୀୟ ବିଜେପି ତାଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇ ମନ୍ତ୍ରୀ କରିବା କାଠିକର ପାଠ ହେବ । ଆଉ ରାଜ୍ୟରେ ତାଙ୍କର ଯେଉଁ ପ୍ରଭାବ ଏବଂ ପତିଆରା ରହିଛି ନିର୍ବାଚନ ହାରିଲେ ସବୁ ସରିଯିବ । ଆଉ ଏସବୁକୁ ଭରଣା କରିବା ପାଇଁ ଧର୍ମେନ୍ଦ୍ରଙ୍କୁ କେତେ ସମୟ ଲାଗିବ ତାହା କହିବା ମୁସ୍କିଲ । ତେଣୁ ବବିଙ୍କ ଅପେକ୍ଷା ଧର୍ମେନ୍ଦ୍ର ଅଧିକ ଚାପରେ ରହିବେ । କାରଣ ବବି ହାରିଲେ ବି ତାଙ୍କ ଉପରେ ନବୀନ ପଟ୍ଟନାୟକଙ୍କ ଅଭୟ ବାଣୀ ରହିଛି । ସେ ଆଗାମୀ ନିର୍ବାଚନ ଲଢି ପାରିବେ । କିନ୍ତୁ ଧର୍ମେନ୍ଦ୍ରଙ୍କ କଥା ବହୁତ ଅଲଗା । ତାଙ୍କ ପାଇଁ ଏଥର ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ ।
କିନ୍ତୁ ସମ୍ବଲପୁରରେ ବବିଙ୍କ ଅପେକ୍ଷା ଧର୍ମେନ୍ଦ୍ର ସୁବିଧାଜନକ ସ୍ଥିତିରେ ଅଛନ୍ତି ଏବଂ ରହିବେ । କାରଣ ସେ ତାଳଚେର ଅଂଚଳର ହୋଇଥିଲେ ମଧ୍ୟ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦେବଗଡ ସାଂସଦ ଥିଲେ । ତେଣୁ ତାଙ୍କ ପ୍ରତି ସମ୍ବଲପୁରବାସୀଙ୍କ ସେତେଟା କଟକିଆ ମନୋଭାବ ରହିବ ନାହିଁ । ପୁଣି ସେ ଗତ ଛଅ ମାସ ହେବ ସମ୍ବଲପୁରରେ ସକ୍ରିୟ ରହି ନିଜର ସଂଗଠନ ମଜବୁତ କରି ସାରିଛନ୍ତି । ବବିଙ୍କ ତୁଳନାରେ ଧର୍ମେନ୍ଦ୍ରଙ୍କ ପ୍ରସ୍ତୁତି ଢେର ଅଧିକ ରହିଛି । ପୁଣି ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ପରି ଟାଣୁଆ ନେତାଙ୍କ ସମର୍ଥନ ତାଙ୍କ ପ୍ରତି ନିର୍ବାଚନ ଜିତିବାରେ ସହାୟକ ହୋଇପାରେ । ପୁଣି ୨୦୧୯ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ନିର୍ବାଚନ ଜିତିଛନ୍ତି । ଆଉ ତାଙ୍କ ଟିକେଟ୍ କଟାଯାଇ ଧର୍ମେନ୍ଦ୍ରଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି । ମୋଟାମୋଟି କହିବାକୁ ଗଲେ ସମ୍ବଲପୁରରେ ନିର୍ବାଚନ ଜିତିବା ବବିଙ୍କ ଅପେକ୍ଷା ଧର୍ମେନ୍ଦ୍ରଙ୍କ ପାଇଁ ଅଧିକ ଜରୁରୀ ।