ବିଜେଡିକୁ ଆଉ ଏକ ଝଟକା, ଦଳରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି; ବିଜେପିରେ ହୋଇ ପାରନ୍ତି ସାମିଲ୍


ଭୁବନେଶ୍ୱର: ଗୋଟିଏ ଦିନରେ ବିଜେଡିକୁ ଲାଗିଛି ତିନି ଝଟକା । ଶନିବାର ଏମିତି ଏକ ଦିନ ଯେଉଁଠି ଜଣେ ପରେ ଜଣେ ନେତା ବିଜେଡିରୁ ଇସ୍ତଫା ଦେଇ ଚାଲିଛନ୍ତି । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର ପୁଣି ଆକାଶ ଦାସ ନାୟକ ଆଉ ଏବେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବିଜେଡି ଛାଡିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫ ପତ୍ର ପଠାଇ ଦେଇଛନ୍ତି । ଅନୁଭବ ହେଉଛନ୍ତି କେନ୍ଦ୍ରାପଡାର ସାଂସଦ । ଅନେକ ଦିନରୁ ଦଳରେ ସେ କୋଣଠେସା ହୋଇ ରହିଥିିଲେ । ବିଜେଡି ଛାଡିବା ପରେ ଅନୁଭବ ମହାନ୍ତି ବିଜେପିରେ ସାମିଲ୍ ହୋଇ ପାରନ୍ତି ।

ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ୨୦୧୩ରେ ବିଜେଡିରେ ଯୋଗ ଦେଇ ରାଜନୀତି ମଇଦାନରେ ପାଦ ଦେଇଥିଲେ । ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ଏହା ସହିତ ଅନୁଭବ ରାଜ୍ୟସଭାକୁ ମନୋନୀତ ହେବାରେ ସର୍ବକନିଷ୍ଠ ନେତା ହୋଇଥିଲେ । ଏହା ପରେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲେ । ଗତ ନିର୍ବାଚନରେ ସେ ବୈଜୟନ୍ତ ପଣ୍ଡାଙ୍କ ପୁରୁଖା ନେତାଙ୍କୁ ୨ ଲକ୍ଷରୁ ଅଧିକ ଭୋଟରେ ହରାଇ ରାଜନୀତିରେ ଚହଳ ପକାଇଥିଲେ। ୨୦୧୯ରେ ସେ ବିଜୁ ଜନତା ଦଳର ଜଣେ ଷ୍ଟାର ପ୍ରଚାରକ ମଧ୍ୟ ଥିଲେ । ତେବେ କେନ୍ଦ୍ରାପଡାର ସାଂସଦ ହେବା ପରେ ସେ ନିଜର ବ୍ୟକ୍ତିଗତ ତଥା ଘରୋଇ କଳହ ଯୋଗୁଁ ରାଜନୀତିରେ ସକ୍ରିୟ ରହି ପାରି ନ ଥିଲେ । ଏପରିକି ବିଜେଡିରେ ସେ ଅବହେଳିତ ଓ କୋଣଠେସା ହୋଇ ରହିଥିଲେ । ଆଉ ଆଜି ସେ ବିଜେଡି ଛାଡିଛନ୍ତି । ବିଜେପିରେ ମିଶିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ଗତ କିଛି ଦିନର ରାଜନୈତିକ ଗତିବିଧିକୁ ଦେଖିଲେ ଅନୁଭବ ବିଜେଡି ଛାଡିବା ନେଇ ଚର୍ଚ୍ଚା ଚାଲିଥିଲା ।

ସୂଚନାଯୋଗ୍ୟ, ଗତ କିଛି ଦିନର ରାଜନୈତିକ ଗତିବିଧିକୁ ଦେଖିଲେ ଅନୁଭବ ବିଜେଡି ଛାଡିବା ନେଇ ଚର୍ଚ୍ଚା ଚାଲିଥିଲା । ତେବେ ହୋଲି ଏବଂ ଦୋଳ ପୂର୍ଣ୍ଣିମା ଅବସରରେ କଟକ ସାଂସଦ ଭର୍ତୃହରି ମହତାବଙ୍କ ଦ୍ୱାରା ଆୟୋଜିତ ହୋଲି ଉତ୍ସବରେ ସାମିଲ ହୋଇଥିଲେ । ଏଠାକୁ ସେ କୌଣସି ନେତା ହିସାବରେ ଆସି ନାହାନ୍ତି ବରଂ ଭର୍ତୃହରି ମହତାବଙ୍କ ଡାକରା ପାଇ ସାଧାରଣ ମଣିଷ ଭାବେ ଆସିଛି । ତାଙ୍କର ବିଜେପିରେ ମିଶିବାର ସମ୍ଭାବାନ ରହିଛି । ବିଜେପିରେ ମିଶିବା ପରେ ଦଳ ତାଙ୍କୁ କେଉଁଠୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଲା । କାରଣ ଲୋକସଭା ପାଇଁ ବିଜେପି ୧୮ ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଛି । କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ଉଲ୍ଲେଖନୀୟ ଶନିବାର ଏ ପର୍ଯ୍ୟନ୍ତ ତିନି ଜଣ ନେତା ବିଜେଡି ଛାଡି ସାରିଛନ୍ତି । ପ୍ରଥମେ ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଏହା ପରେ କରୋଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆଉ ଏବେ ସାଂସଦ ଅନୁଭବ ମହାନ୍ତି ଦଳ ଛାଡିଛନ୍ତି । ସବୁ ନେତାଙ୍କ ଗୋଟିଏ ଅଭିଯୋଗ ଦଳରେ ସେମାନଙ୍କୁ ଅଣଦେଖା କରାଯାଇଛି । ସେମାନଙ୍କୁ ଅବହେଳିତ କରାଯାଇଛି । ଟିକେଟ୍ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ପ୍ରତାରଣ କରାଯାଉଛି ।