ବିଧାନସଭା ନିର୍ବାଚନ ଲଢିବେ ସାଂସଦ ସୁରେଶ ପୂଜାରୀ, ଏହି ଆସନରୁ ମିଳିଲା ଟିକେଟ୍


ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ସାଂସଦ ସୁରେଶ ପୂଜାରୀ ଲଢିବେ ବିଧାନସଭା ନିର୍ବାଚନ । ବରଗଡରୁ ବର୍ତମାନ ସାଂସଦ ଥିବା ସୁରେଶଙ୍କୁ ଦଳ ବ୍ରଜରାଜନଗରୁ ପ୍ରାର୍ଥୀ କରିଛି । ଆଜି ବିଜେପି ଘୋଷଣା କରିଥିବା ୧୧୨ ଜଣିଆ ପ୍ରାର୍ଥୀ ତାଲିକାରେ ସୁରେଶ ପୂଜାରୀଙ୍କ ନାଁ ରହିଛି । ଉଲ୍ଲେଖନୀୟ ବରଡଗରୁ ଲୋକସଭାରୁ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବା ପରେ ସୁରେଶଙ୍କ ବିଧାନସଭା ଲଢିବାର ଯଥେଷ୍ଟ ସମ୍ଭାବନା ଥିଲା।

ଲୋକସଭା ଟିକେଟ୍ କଟିବା ପରେ ସୁରେଶ କହିଥିଲେ ଯେ, ଦଳର ନିଷ୍ପତିକୁ ମୁଁ ସମ୍ମାନ ଜଣାଉଛି । ମୁଁ ଦଳର କର୍ମୀ ଏବଂ ସର୍ବଦା କର୍ମୀ ଭାବେ କାମ କରିବି । ଦଳ ଯାହା ଦାୟିତ୍ୱ ଦେବ ତାକୁ ପୂରଣ କରିବି । ପ୍ରଦୀପ ମୋର ସାନ ଭାଇ । ତାକୁ ଜିତାଇବା ମୋର ଦାୟିତ୍ୱ । ତା ଉପରେ ମୋର ଆଶୀର୍ବାଦ ସର୍ବଦା ରହିବ । ଲୋକସଭା ପ୍ରାର୍ଥୀ ଘୋଷଣା ନ ହେବା ପୂର୍ବରୁ ମଧ୍ୟ ଚର୍ଚ୍ଚା ଚାଲିଥିଲା ଯେ, ଏଥର ନିର୍ବାଚନରେ ସୁରେଶ ପୂଜାରୀଙ୍କୁ ଲୋକସଭା ପରିବର୍ତେ ବିଧାନସଭାକୁ ଟିକେଟ୍ ଦିଆଯିବ । ଆଉ ବିଜେପି ତାଙ୍କୁ ବ୍ରଜରାଜନଗରରୁ ପ୍ରାର୍ଥୀ କରିଛି ।

ବ୍ରଜରାଜନଗରେ ଅଳକା ମହାନ୍ତି ବର୍ତମାନ ବିଧାୟକ ଅଛନ୍ତି । ଅଳକା ହେଉଛନ୍ତି ଦିବଙ୍ଗତ ନେତା କିଶୋର ମହାନ୍ତିଙ୍କ ପତ୍ନୀ । କିଶୋର ୨୦୧୯ରେ ଏଠାରୁ ନିର୍ବାଚନ ଲଢି ଜିତିଥିଲେ । ତେବେ ତାଙ୍କ ପରଲୋକ ପରେ ୨୦୨୨ ଉପ ନିର୍ବାଚନରେ କିଶୋରଙ୍କ ପତ୍ନୀ ଅଳକାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ଅଳକା ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ହରାଇଥିଲେ । ଏହା ପୂର୍ବରୁ ମଧ୍ୟ ୨୦୧୯ରେ ରାଧାରାଣୀ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କଠୁ ପରାସ୍ତ ହୋଇଥିଲେ । ତେବେ ୨୦୧୪ରେ ରାଧାରାଣୀ ଏହି ଆସନରୁ ଜିତିଥିଲେ । ଏହି ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ଏଠାରେ ସୁରେଶ ପୂଜାରୀଙ୍କ ବିରୋଧରେ ବିଜେଡି ମଧ୍ୟ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିପାରେ ।