ରାଜେଶ ଉପଯୁକ୍ତ ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ, ଉପଯୁକ୍ତ ଭତ୍ତା ଦେବାକୁ ଦାବି


ଚିପିଲିମା, ରାଜ୍ୟର ପ୍ରତ୍ୟେକ ବୃଦ୍ଧ, ବୃଦ୍ଧା,ବିଧବା, ଦିବ୍ୟାଙ୍ଗ ମାନଙ୍କ ପାଇଁ ଭତ୍ତା ନିଶ୍ଚିତ ପାଇବେ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ଡିଣ୍ଡିମ ପିଟୁଛନ୍ତି l ବିଭାଗ ପକ୍ଷରୁ ସମୟ ସମୟରେ ସର୍ଭେ ସବୁ ଭି ଛାଲିଛି l କିନ୍ତୁ ବିଭାଗୀୟ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବରୁ ଯୋଜନା ସବୁ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ l ଗାଁ ରୁ ସହର ସବୁଠି ଅନେକ ଦିବ୍ୟାଙ୍ଗ ଥିବାବେଳେ ସେମାନଙ୍କୁ ଚିନ୍ହଟ କରି ଦିବ୍ୟାଙ୍ଗ ପ୍ରମାଣ ପତ୍ର ମଧ୍ୟ ଦିଆଯାଉଛି l କିନ୍ତୁ ସେମାନେ ଉପଯୁକ୍ତ ଭତ୍ତା ପାଇନପାରି ସାଧାରଣ ଭତ୍ତା ସବୁ ପାଉଥିବା ଦେଖିବାକୁ ମିଳୁଛି l ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କରଡୋଳା ପଞ୍ଚାୟତରେ l ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଏହି ଗାଁ ର ସ୍ବର୍ଗତ ସତ୍ୟନାରାୟଣ ରୋହିଦାସ ଓ ଦିନମଜୁରିଆ ମାତା ବିମଳା ରୋହିଦାସଙ୍କ ୧୯ବର୍ଷର ପୁଅ ରାଜେଶ ରୋହିଦାସ ଜନ୍ମରୁ ମୁକ ବଧିର ଥିବାବେଳେ ସେ ଅଦ୍ୟାବଧି ସାଧାରଣ ଭତ୍ତା ୫୦୦ଟଙ୍କା ସହ ୫କେଜି ଚାଉଳ ପାଇଆସୁଥିବାବେଳେ କିଛିମାସ ହେବ ବର୍ଦ୍ଧିତ ହାରରେ ବର୍ତମାନ ୧୦୦୦ଟଙ୍କା ଭତ୍ତା କେବଳ ପାଉଛି l ରାଜେଶ ର ପରିବାର ଲୋକଙ୍କୁ ଜଣାନାହିଁ ଯେ ଦିବ୍ୟାଙ୍ଗମାନେ ଅଧିକ ଭତ୍ତା ପାଆନ୍ତି ବୋଲି l ଆମ ପ୍ରତିନିଧିଙ୍କ ସହ ହଠାତ ସାକ୍ଷ୍ୟାତ ହେବାରୁ ଘଟଣାଟି ସାମ୍ନାକୁ ଆସିଛି l ଏପରି ଏକ ଗରିବ ଦିବ୍ୟାଙ୍ଗ ରାଜେଶକୁ ଯଥାଶୀଘ୍ର ବର୍ଦ୍ଧିତ ଉପଯୁକ୍ତ ଭତ୍ତା ଦେବାକୁ ଦାବି ହେଉଛି l ରାଜେଶ ପାଖରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମଧ୍ୟ ରହିଥିବାବେଳେ, ଉପଯୁକ୍ତ ଭତ୍ତାରୁ ବଞ୍ଚିତ ହେବା ଘଟଣାକୁ ନେଇ ସଚେତନ ମହଲରେ ଉଦବେଗ ପ୍ରକାଶ ପାଇଛି l ଦିବ୍ୟାଙ୍ଗ ରାଜେଶର ଉପଯୁକ୍ତ ଭତ୍ତା ନପାଇ ଯାହା କ୍ଷତି ହୋଇଛି, ଏଥିପାଇଁ ଦାୟୀ କିଏ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ରାଜେଶକୁ ଉପଯୁକ୍ତ ଭତ୍ତା ଦେବାକୁ ଦାବି ହେଉଛି l ନିର୍ବାଚନ ପୂର୍ବରୁ ଉପଯୁକ୍ତ ଭତ୍ତା ନମିଳିଲେ ତାଙ୍କ ପରିବାର ଭୋଟ ଦେବେନାହିଁ ବୋଲି ରାଜେଶ ର ମାଆ ବିମଳା କହିଛନ୍ତି l