Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡି ବିଜେପିରେ ମିଶିଲେ କୈଳାଶ କୁଲେସିକା, କହିଲେ- ବବି ବିଶ୍ୱାସରେ ବିଷ ଦେଇଛନ୍ତି, ମୋ ଅଭିଶାପ ପଡିବ

ଭୁବନେଶ୍ୱର: ବିଜେପିରେ ମିଶିଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା । ଟିକେଟ୍ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ବିଜେଡି ଛାଡିଥିଲେ । ଗତକାଲି ରାତିରେ ସେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ସାମିଲ ହୋଇଛନ୍ତି । କୈଳାଶଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଲୀର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ତାଙ୍କୁ ଲକ୍ଷ୍ମୀପୁରରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେଡି ଛାଡିବା ପରେ ଦଳ ଉପରେ ନିଜର ଅସନ୍ତୋଷ ଝାଡିଛନ୍ତି କୈଳାଶ । ସେ କହିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କଲେନି । ଆଉ ମୋର ଆଶା ଧୂଳିସାତ ହୋଇ ଯାଇଛି । ମୋ ବିଶ୍ୱାସରେ ବବି ବିଷ ଦେଇଛନ୍ତି । ବିଜେଡିରେ ମିଶିବାକୁ ମୁଁ ଆଗ୍ରହୀ ନ ଥିଲି । ବିଜେଡିରେ ମିଶିବା ପରେ ଲକ୍ଷ୍ମୀପୁରରୁ ଟିକେଟ୍ ଦିଆଯିବ ବୋଲି ବବି କହିଥିଲେ ।

ମୁଁ ବିଜେଡିରେ ମିଶିବାକୁ ଆଗ୍ରହୀ ନଥିଲି । ବିଜେଡିରେ ମିଶିବାକୁ ମୋତେ ଆହ୍ୱାନ କରାଯାଇଥିଲା। ବିଜେଡିରେ ମିଶିବା ପରେ ଲକ୍ଷ୍ମୀପୁରରେ ପ୍ରାର୍ଥୀ କରାଯିବ ବୋଲି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରତିଶ୍ରୁତି ଦେଇଥିଲେ। ଏବେ ଲକ୍ଷ୍ମୀପୁରରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯିବା ପରେ ମୋତେ ପ୍ରୋଲଭନ ଦେଖାଉଛନ୍ତି। ମୋତେ କୋଟିଏ ଟଙ୍କା ଦିଆଯିବ ବୋଲି କହୁଛନ୍ତି। ମୋତେ ଲକ୍ଷ୍ମୀପୁରର ପ୍ରାର୍ଥୀ ନ କରି କୋଟିଏ ଟଙ୍କାର କିଣିବାକୁ ଯେଉଁ ପ୍ରୟାସ କଲେ ମୋ ହୃଦୟକୁ ବାଧିଲା। ମୁଁ ଗୋଟେ ସ୍ୱାଭିମାନୀ ଆଦିବାସୀ ପିଲା। ଏତେ ବାଧିଲା ଯେ ମୁଁ ବାଧ୍ୟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ମୋ ଲୁହ ବିଜୁ ଜନତା ଦଳ ଉପରେ ପଡ଼ିବ।

କିଛି ଦିନରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ କୈଳାଶ କୁଲେସିକ। ସେ ଲକ୍ଷ୍ମୀପୁରରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ଗତକାଲି ବିଜେଡି ପ୍ରଭୁ ଜାନିଙ୍କୁ ଲକ୍ଷ୍ମୀପୁର ପାଇଁ ପ୍ରାର୍ଥୀ କରିଥିଲା। ଏହି ଘୋଷଣା ପରେ କ୍ଷୋଭ ପ୍ରକାଶ କରିଥିଲେ କୈଳାଶ କୁଲେସିକା। ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ