ନିର୍ବାଚନ ରାଲିରେ ସାମିଲ ହେବା ପଡିଲା ମହଙ୍ଗା, ସସପେଣ୍ଡ ହେଲେ ଶିକ୍ଷୟିତ୍ରୀ


ବୌଦ୍ଧ: ନିର୍ବାଚନ ରାଲିରେ ସାମିଲ ହେବା ଜଣେ ଶିକ୍ଷୟିତ୍ରୀଙ୍କୁ ପଡିଛି ମହଙ୍ଗା । ନିର୍ବାଚନ ରାଲିରେ ଯୋଗ ଦେବା ଅଭିଯୋଗରେ ବୌଦ୍ଧ ଜିଲ୍ଲାର ଦହ୍ୟା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କରାଯାଇଛି । ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ସଂଘମିତ୍ରା ମଲିକ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଅଫିସର ତଥା ଜିଲ୍ଲାପାଳ ସଂଘମିତ୍ରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନିୟମ ଆଧାରରେ ତତ୍କାଳ ପ୍ରଭାବରୁ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରେ ଯୋଗ ନ ଦେବାକୁ କୁହାଯାଇଛି । ସୂଚନା ଅନୁଯାୟୀ କିଛି ଦିନ ତଳେ ବୌଦ୍ଧ ଜିଲ୍ଲାର କଂଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ରାଜନୈତିକ ଦଳ ଦ୍ୱାରା ପଲାସପାଟରୁ ଆମ୍ବଗାଁ ଯାଏ ଆୟୋଜିତ ଶୋଭା ଯାତ୍ରାରେ ଶିକ୍ଷୟିତ୍ରୀ ସଂଘମିତ୍ରା ଯୋଗ ଦେଇଥିଲେ । ଏହାର ଫଟୋ ଭାଇରାଲ ହୋଇଥିଲା ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ତଦନ୍ତରୁ ଜଣା ପଡିଲା ଯେ, ସଂଘମିତ୍ରା ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଣିତ ନିର୍ବାଚନ ଆଚରଣ ବିଧି ନିୟମ ଉଲ୍ଲଂଘନ କରି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଫଳରେ ନିୟମ ଅନୁ୍‌ାୟୀ, ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି ଜିଲ୍ଲାପାଳ । ନିଲମ୍ବିତ ଶିକ୍ଷୟିତ୍ରୀ ଜିଲ୍ଲା ମୁଖ୍ୟାଳୟରେ ରହିବେ ଏବଂ ବିନା ଅନୁମତିରେ ବାହାରକୁ ଯାଇ ପାରିବେ ନାହିଁ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ ସୋନାଲ ।

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ବି ସରକାରୀ ଅଧିକାରୀ କୌଣସି ରାଜନୈତିକ ଦଳର ଗତିବିଧି ଏବଂ କାର୍ଯ୍ୟାଳୟରେ ସାମିଲ ହୋଇ ପାରିବେ ନାହିଁ । ଯେଉଁଠି ଏ ସଂପର୍କରେ ଅଭିଯୋଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।