ଘଣ୍ଟେଶ୍ୱରୀ ପୀଠରୁ ମାଁଙ୍କ ଛତର ବାହାରିଲା, ଆସନ୍ତା ୨୩ ରେ ମାଁଙ୍କ ବାର୍ଷିକ ଚଇତି ପର୍ବ


ଚିପିଲିମା,ସମ୍ବଲପୁର ଜିଲ୍ଲା ଚିପିଲିମା ବଗବିରା ସ୍ଥିତ ଘଣ୍ଟେଶ୍ୱରୀ ମାଁଙ୍କ ଚଇତି ପୂଜା ପର୍ବ ଆସନ୍ତା ୨୩ ତାରିଖ ରେ ହେବାକୁ ନିର୍ଦ୍ଧାରିତ ହୋଇଥିବାବେଳେ, ଚୈତ୍ର ଶୁକ୍ଳ ଚତୁର୍ଥୀ ଶୁଭଲଗ୍ନ ରେ ମାଁଙ୍କ ଛତ୍ର ପାରମ୍ପରିକ ରୀତିନୀତି ରେ ପୀଠରୁ ବାହାରି ପରିକ୍ରମା ଅଭିମୁଖେ ବାହାରିସାରିଛି l ଏହି ଅବସରରେ ମନ୍ଦିର ମୁଖ୍ୟ ତଥା ବରିଷ୍ଠ ପୂଜକ ନୃପରାଜ ନାଏକଙ୍କ ଘରେ ମାଁଙ୍କ ଛତରକୁ ସୁସଜ୍ଜିତ କରି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ପୂଜା ସାମଗ୍ରୀ ନେଇ ଗାଁ ବଢ଼ିଆଲ ବୁରେଇ ସ୍ଥିତ ମାଁଙ୍କ ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାକରି ବରଣ ହୋଇଥିଲା l ତାପରେ ଶଙ୍ଖ, ଘଣ୍ଟ, ବାଜା ନେଇ ଛତର ଆସି ଘଣ୍ଟେଶ୍ୱରୀ ପୀଠରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିନୀତି ରେ ପୂଜାର୍ଚ୍ଚନା ପରେ ମାଁଙ୍କ ଶକ୍ତିପୁଞ୍ଜ ସ୍ୱରୂପ ଛତ୍ର ସହ ବିଶ୍ୱନାଥ ବାବାଙ୍କୁ ଧରି ଘଣ୍ଟ ଶଙ୍ଖ ଦୁଲୁଦୁଲି ଛତ୍ର ବାହାରିଥିବାବେଳେ, ଏନେଇ ପ୍ରଥମେ ତାଳପଦର ରେ ଭକ୍ତଙ୍କୁ ଦର୍ଶନ ଦେଇ ସେଠାରେ ରାତ୍ରି ରହଣି ପରେ ଗୋଶାଳା ପାପଡ଼େରା ଦେଇ ଗୋଶାଳା ଯିବ l କିଛି ଅସୁବିଧା ବଶତଃ ଏବର୍ଷ ବୁର୍ଲା ଅଞ୍ଚଳକୁ ମାଁଙ୍କ ଛତର ଯିବନାହିଁ ବୋଲି ବରିଷ୍ଠ ପୂଜକ ନୃପରାଜ ସ୍ଵଷ୍ଟ କରିଥିବାବେଳେ, ଗୋଶାଳା ଦେଇ ବସନ୍ତପୁର ସାହାଜବାହାଲ, ରୁପାପାଲି, ସାତୁପାଲି, ଚାରପାଲି ଦେଇ ଚିପିଲିମା ପହଞ୍ଚି ଚିପିଲିମାରେ ଘରେ ମାଁ ପୂଜାପାଇବେ ବୋଲି କହିଛନ୍ତି l ପ୍ରତ୍ୟେକ ସ୍ଥାନରେ ଭକ୍ତମାନେ ମାନସିକ ରଖି ମାଁଙ୍କ ଛତର ଦର୍ଶନ କରୁଥିବାବେଳେ, ଭକ୍ତଙ୍କ ମନୋକାମନା ମାଁ ପୂରଣ କରିଥାନ୍ତି l ଚୈତ୍ର ପୂର୍ଣ୍ଣିମା ପୂର୍ବଦିନ ମାଁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥାନ୍ତି l ଛତର ଯାତ୍ରା ରେ ପୂଜକ ଗୋବିନ୍ଦ ନାଏକ, କିଶନ ଦେହୁରୀ, ପୂଜକ ଗୋପୀନାଥ ପ୍ରମୁଖ ନିୟୋଜିତ ରହିଛନ୍ତି l ପ୍ରକାଶ ଥାଉକି ପୂର୍ଣ୍ଣିମା ଦିନ ମାଁଙ୍କ ବାର୍ଷିକ ଚଇତି ପର୍ବ ସାହସ୍ରାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ l ଏଥର ଆସନ୍ତା ୨୩ ରେ ଚଇତି ପର୍ବ ହେବ ବୋଲି ଟ୍ରଷ୍ଟ ପକ୍ଷ୍ୟରୁ କୁହାଯାଇଛି l

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।