ଭୁୁବନେଶ୍ୱର: ବିଜୁ ଜନତା ଦଳ ଶନିବାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୯ ସିଟରେ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ବଡଚଣା ଆସନରୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କରିଛନ୍ତି । ଦୁଇ ଦିନ ତଳେ ବିଜେଡିରେ ସାମିଲ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି । ଆଉ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଟିକେଟ୍ କଟାଯାଇଛି । ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଅନୁଭବ ମହାନ୍ତି ବିଜେପିରେ ମିଶିବା ପରେ ବର୍ଷା ବିଜେଡିରେ ମିଶି ଏବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଗତ ୨୦୧୯ ନିର୍ବାଚନରେ ବର୍ଷା କେନ୍ଦ୍ରାପଡାରେ ଅନୁଭବ ଏବଂ ବିଜେଡି ପାଇଁ ପ୍ରଚାର କରୁଥିଲେ । କିନ୍ତୁ ୨୦୨୪ରେ ରାଜନୀତି ସମୀକରଣ ସଂପୂର୍ଣ୍ଣ ବଦଳି ସାରିଛି । ଆଉ ଶଙ୍ଖ ଫୁଙ୍କିଛନ୍ତି ବର୍ଷା । ଗତ କିଛି ବର୍ଷ ହେଲା ପାରିବାରିକ ବିବାଦ ଯୋଗୁଁ ଚର୍ଚ୍ଚାରେ ଥିଲେ ବର୍ଷା । ସାଂସଦ ଅନୁଭବ ମହାନ୍ତିଙ୍କ ସହ ଛାଡପତ୍ର ବିବାଦ ହାଇକୋର୍ଟରେ ପହଂଚିଥିଲା । ଲମ୍ବା ଆଇନଗତ ପ୍ରକ୍ରିୟା ପରେ ଶେଷରେ ଉଭୟଙ୍କ ଛାଡପତ୍ରକୁ କୋର୍ଟ ଗ୍ରହଣ କରିଛନ୍ତି ଏବଂ ଉଭୟଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡିଥିଲା । ଏବେ ସକ୍ରିୟ ରାଜନୀତିରେ ବର୍ଷା ପ୍ରିୟଦର୍ଶିନୀ ।
ସୂଚନାଯୋଗ୍ୟ, ଅମର ପ୍ରସାଦ ଶତପଥୀ ଛଅ ଥର ବଡଚଣାରୁ ନିର୍ବାଚନ ଜିତିଥିଲେ । ସେ ୧୯୯୦, ୧୯୯୫, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ରେ ପ୍ରତିଦ୍ୱନ୍ଦିତା କରି ୩୦ ବର୍ଷ ଧରି ବଡଚଣାର ବିଧାୟକ ଥିଲେ । ସ୍ୱାଭାବିକ ଭାବେ ଉକ୍ତ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧରେ ଜନ ଆକ୍ରୋଶ ରହିଥିଲା । ତଥାପି ଦଳ ତାଙ୍କୁ ଏଥର ମଧ୍ୟ ଟିକେଟ୍ ଦେଇଥିଲା । ଟିକେଟ୍ ମିଳିବା ପରେ ଅମର ପ୍ରଚାର ଆରମ୍ଭ କରିଥିଲେ ହେଁ ତାଙ୍କ ଲୋକେ ଗ୍ରହଣ କରି ନ ଥିଲେ । ତାଙ୍କର ସଭା ଓ ରାଲିକୁ ଲୋକେ ସେତେ ଯାଉ ନ ଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା । ତାଙ୍କ କାମରେ ମଧ୍ୟ ଲୋକେ ବେଶ ଅସନ୍ତୁଷ୍ଟ ଥିଲେ । ବଡଚଣା ସିଟ୍ ହେଉଛି ବିଜେଡିର ଗଡ । ଏଥର ଅମର ଲଢିଥିଲେ ତାଙ୍କ ଜିତିବା ନେଇ ମଧ୍ୟ ସଂଶୟ ଥିଲା । ଶେଷରେ ବାଧ୍ୟ ହୋଇ ବିଜେଡି ବରିଷ୍ଠ ନେତା ଅମରଙ୍କ ଟିକେଟ୍ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଦଳ ।