ମହମ୍ମଦ ମୋକିମଙ୍କୁ ବଡ ଆଶ୍ୱସ୍ତି, ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ


ଭୁୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଲା ବଡ ଆଶ୍ୱସ୍ତି । ORHDC ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ ଭିଜିଲାନ୍ସକୁ ନୋଟିସ୍ ଜାରି କରିଛନ୍ତି । କିନ୍ତୁ ଜାମିନା ମିଳିବା ପରେ ମୋକିମ ଆଗାମୀ ନିର୍ବାଚନ ଲଢି ପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ମୋକିମଙ୍କ ପକ୍ଷରୁ କେସ୍ ଲଢୁଥିଲେ ସୁପ୍ରିମକୋର୍ଟର ୩ ବରିଷ୍ଠ ଆଇଜନୀବୀ ମୁକୁଲ ରୋହତଗି, ଏସ୍ ମୁରଲୀଧର ଓ ପୀତାମ୍ବର ଆଚାର୍ଯ୍ୟ ।

ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେଁ ମୋକିମଙ୍କୁ ନିରାଶ ହେବାକୁ ପଡିଥିଲା । ହାଇକୋର୍ଟ ଭିଜିଲାନ୍ସର ଦଣ୍ଡାଦେଶକୁ ବଳବତର ରଖିଥିଲେ । ଏହା ପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୋକିମ । ଆଉ ଆଜି ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି କଂଗ୍ରେସ ବିଧାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତାଙ୍କ ଆବେଦନକୁ ଗ୍ରହଣ କରାଯିବା ସହ ପରବର୍ତୀ ସମୟରେ ଶୁଣାଣି କରାଯିବ ।

ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଖୁସି ପ୍ରକାଶ କରିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି, ସୁପ୍ରିମକୋର୍ଟ ଭିଜିଲାନ୍ସର ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ଏହି ରାୟରେ ଆମେ ଖୁସି । କିନ୍ତୁ ନିର୍ବାଚନ ଲଢିବା କି ନ ଲଢିବା ନେଇ କିଛି ସ୍ପଷ୍ଟ ହୋଇନି ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ମୋକିମ୍‌ଙ୍କ ସହିତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଲେଖାଏଁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଥିଲେ କୋର୍ଟ। ଜରିମାନା ଅନାଦେୟ ହେଲେ ସେମାନେ ଅଧିକ ୬ ମାସ ଜେଲ୍‌ରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ।