Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଏହି ସବୁ ସିଟରେ ଏତିକି ସମୟରେ ହେବ ଭୋଟିଂ

ଭୁବନେଶ୍ୱର: ଆସନ୍ତା ମେ ୨୦ ତାରିଖ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି । ଏହି ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଆସିକାରେ ଭୋଟ୍ ଗ୍ରହଣ ହେବ ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ମେ ୩ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ମେ ୪ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ମେ ୬ ଯାଏ ପ୍ରାର୍ଥୀ ପତ୍ର ପ୍ରତ୍ୟାହରର ତାରିଖ ରହିଛି । ଏହି ପର୍ଯ୍ୟାୟରେ ଓଡିଶାର ୫ ଲୋକସଭା ସହ ତା ଅଧିନରେ ଥିବା ୩୫ ବିଧାନସଭା ସିଟରେ ଭୋଟଗ୍ରହଣ ରହିଛି । କେଉଁ ଆସନରେ କେତେ ବେଳେ ଭୋଟିଂ ସମୟ ରହିଛି ତାର ସବିଶେଷ ତଥ୍ୟ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି ।

ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬ ବିଧାନସଭା କ୍ଷେତ୍ର ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବଣାଇରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ୬ ବିଧାନସଭା କ୍ଷେତ୍ର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।

ସେହିପରି ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଥିବା ପାଟଣାଗଡ଼ ବିଧାନସଭା କ୍ଷେତ୍ରରେ ୧୭ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଯାଏଁ ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟିଂ ହେବ। ସେହିପରି କଣ୍ଟାବାଞ୍ଜିରେ ୧୩ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଯାଏଁ ଭୋଟ ଗ୍ରହଣ ହେବ। ତେବେ ଅନ୍ୟ ୫ ବିଧାନସଭା କ୍ଷେତ୍ର ବଲାଙ୍ଗିର, ଟିଟିଲାଗଡ଼, ବୀରମହାରାଜପୁର, ସୋନପୁର, ଲୋଇସିଂହାରେ ସକାଳ ୭ଟାରୁ ୬ଟା ଯାଏ ଭୋଟ ହେବ। କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭଞ୍ଜନଗରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ହେବ।

ସେହିପରି ଦଶପଲ୍ଲାରେ ସକାଳ ୭ଟାରୁ ଅପରାହ୍ଣ ୫ଟା, ବୌଦ୍ଧ ଓ କଣ୍ଟାମାଳରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ହେବ। ତେବେ ବାଲିଗୁଡ଼ାର ୧୫ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ ଭୋଟର ନିଜର ଭୋଟିଂ ଦେଇ ପାରିବେ ।

ଜି.ଉଦୟଗିରିର ୮ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ବୁଥରେ ସକାଳ ୭ଟାରୁ ୪ଟା ଭୋଟ ଗ୍ରହଣ ହେବ। ଫୁଲବାଣୀରେ ୨୩ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବୁରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ହେବ। ତେବେ ଆସିକା ଲୋକସଭା କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହେଉଛି । ମେ ୧୩ ତାରିଖର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଥିବା ବେଳେ ମେ ୨୦ ତାରିଖରେ ଦ୍ୱିତୀୟ, ମେ ୨୫ରେ ତୃତୀୟ ଏବଂ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ରହିଛି । ମେ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ