Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିବାର ଓଡିଶାରେ ଜମିବ ପ୍ରଚାର, ସାଲେପୁରରେ ରାହୁଲ, ବ୍ରହ୍ମପୁରରେ ନଡ୍ଡାଙ୍କ ପ୍ରଚାର

ଭୁୁବନେଶ୍ୱର: ରବିବାର ଓଡିଶାରେ ଜମିବ ନିର୍ବାଚନୀ ପ୍ରଚାର । ଆସନ୍ତାକାଲି ଦୁଇ କେନ୍ଦ୍ରୀୟ ନେତାଙ୍କ ଆଗମନ ହେଉଛି । ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି । ନଡ୍ଡା ବ୍ରହ୍ମପୁରରେ ତ ରାହୁଲ ସାଲେପୁରରେ ନିଜ ଦଳ ପକ୍ଷରୁ ପ୍ରଚାର ମଙ୍ଗ ସମ୍ଭାଳିବେ ।

ଆସନ୍ତାକାଲି ରାହୁଲ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ। ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏଁ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ। ରାହୁଲ ଏଠାରେ ଜନସଭାରେ ଯୋଗ ଦେଇ ଓଡିଶା କଂଗ୍ରେସ ପ୍ରଚାରର ଶୁଭାରମ୍ଭ କରିବେ । ୨୦୨୪ ନିର୍ବାଚନରେ ଏହା ରାହୁଲଙ୍କ ପ୍ରଥମ ଓଡିଶା ଗସ୍ତ । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶୁକ୍ରବାର କଂଗ୍ରେସର ଉଚ୍ଚସ୍ତରୀୟ କମିଟି ସତ୍ୟଭାମାପୁର ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । କୁଳିଆସ୍ଥିତ ସଭାସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସୋନପୁର ଗସ୍ତ ପରେ ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜେଡି ନଡ୍ଡା ଦିନିକିଆ ଓଡିଶା ଗସ୍ତରେ ଆସି ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହା ପରେ ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ନିର୍ବାଚନୀ ରଣନୀତିର ସମୀକ୍ଷା କରିବା ସହିତ ଗୁରୁମନ୍ତ୍ର ଦେବେ । ତା ପରେ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସି ସୋନପୁରରେ ବିଶାଳ ସମାବେଶରେ ବିଜେପିର ନିର୍ବାଚନୀ ପ୍ରଚାରର ବିଗୁଲି ଫୁଙ୍କିଥିଲେ । ସେ ବିଜେଡି ସରକାରଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିବା ସହ ଏମିତି ସରକାର ଓପାଡି ଫିଙ୍ଗିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ । ବିଜେଡିକୁ ୨୫ ବର୍ଷ ଦେଲେ ବିଜେପିକୁ ଥରୁଟିଏ ୫ ବର୍ଷ ଦିଅନ୍ତୁ ବୋଲି ଅପିଲ୍ କରିଥିଲେ । ବିଜେପି ସରକାର ଗଢିଲେ ରାଜ୍ୟରୁ ଦାଦନ ସମସ୍ୟା ଦୂର ହେବ ବୋଲି ଶାହ କହିଥିଲେ । ଏହା ପରେ ଭୁବନେଶ୍ୱରରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ଗୁରୁମନ୍ତ୍ର ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ