Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜନୈତିକ ଫାଇଦା ପାଇଁ ଆମ ନାଁ ନିଅ ନାହିଁ, ଲୋକସଭା ନିର୍ବାଚନ ସମୟରେ ଭାରତୀୟ ନେତାଙ୍କୁ ପାକିସ୍ତାନର ଅପିଲ

ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ସମୟରେ ଅନେକ ନେତାଙ୍କ ଦ୍ୱାରା ବାରମ୍ବାର ପାକିସ୍ତାନ ନାଁ ନେବା ଉପରେ ପାକିସ୍ତାନ ସରକାର କଡା ଆପତ୍ତି ପ୍ରକାଶ କରିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁତତାଜ ଜହରା ବଲୁଚ ଶୁକ୍ରବାର ଭାରତୀୟ ନେତାଙ୍କୁ ଅନୁରୋଧ କରିଛନ୍ତି ଯେ, ରାଜନୈତିକ ଫାଇଦା ପାଇଁ ନିଜ ଭାଷଣରେ ପାକିସ୍ତାନକୁ ଟାଣନ୍ତୁ ନାହିଁ ।

ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ବଲୁଚ କହିଛନ୍ତି ପାକିସ୍ତାନ ଜାମ୍ମୁ-କାଶ୍ମୀରରେ ଭାରତର ସମସ୍ତ ଦାବିକୁ ଖାରଜ କରିଛି । ଆମର ଅପିଲ୍ ଭାରତୀୟ ରାଜନେତା ନିର୍ବାଚନ ଉଦ୍ଦେଶ୍ୟରେ ଭାରତର ବିଶାଳ ରାଲିରେ ପାକିସ୍ତାନର ନାଁ ନେବାର ଭୁଲ ଅଭ୍ୟାସକୁ ବନ୍ଦ କରନ୍ତୁ । ଅତି ରାଷ୍ଟ୍ରବାଦୀରୁ ପ୍ରେରିତ ଉତ୍ତେଜନାମୂଳକ ଭାଷଣ ଆଞ୍ଚଳିକ ଶାନ୍ତି ଓ ସମ୍ବେଦନଶୀଳତା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିବ । ମୁଖପାତ୍ର ଭାରତୀୟ ରାଜନେତାଙ୍କ ଦାବିକୁ ନିରାଧାର ଦର୍ଶାଇ କହିଛନ୍ତି ଯେ, ନେତାମାନେ ନିଜ ଭାଷଣରେ ଐତିହାସିକ ଭୁଲ୍ ତଥ୍ୟ ଦେଉଛନ୍ତି ।

ସୂଚନାଯୋଗ୍ୟ, ଅନେକ ସମୟରେ ବିଜେପି ନେତାମାନେ ଲୋକସଭା ନିର୍ବାଚନ ସମୟରେ ପାକିସ୍ତାନର ନାଁ ନେଇଥାନ୍ତି । ଏପ୍ରିଲ ୧୧ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟପ୍ରଦେଶରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଯେଉଁଭଳି ଜାମ୍ମୁ-କାଶ୍ମୀର ବିକାଶ ଦିଗରେ ଆଗକୁ ବଢୁଛି, ଏହାକୁ ଦେଖି ପିଓକେ ଲୋକେ ଭାବୁଥିବେ ତାଙ୍କର ବିକାଶ ପିଏମ ମୋଦୀଙ୍କ ହାତରେ ହିଁ ସମ୍ଭବ । ପିଓକେବାସୀ ଭାବୁଥିବେ ସେମାନେ ଭାରତରେ ରହିବାକୁ ଚାହାନ୍ତି । ପିଓକେ ଭାରତର ଅଂଶ ଥିଲା ଏବଂ ରହିବ । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ନିକଟରେ କହିଥିଲେ ପିଓକେ କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ ଏହା ରାଷ୍ଟ୍ରୀୟ ପ୍ରସଙ୍ଗ ।