ରାହୁଲଙ୍କ ପ୍ରତିଶ୍ରୁତି -ଓଡିଶାରେ କଂଗ୍ରେସ ଆସିଲେ ଯୁବ, ମହିଳା, ଚାଷୀଙ୍କୁ ମିଳିବ ଏହି ସବୁ ସୁବିଧା


କଟକ: ସାଲେପୁରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ନବୀନ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଏତେ ଖରାରେ ଆସିଥିବାରୁ ରାହୁଲ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କେନ୍ଦ୍ରରେ ଓ ଓଡିଶାରେ କଂଗ୍ରେସକୁ ସରକାର ଗଢିବାକୁ ସୁଯୋଗ ଦେବାକୁ ସେ ଅପିଲ୍ କରିଛନ୍ତି । ତାଙ୍କ ସରକାର ଆସିଲେ ଯୁବ, ମହିଳା, ଚାଷୀଙ୍କ ପାଇଁ କଣ କଣ କରାଯିବ ତାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ରାହୁଲ ।

ଋାହୁଲ କହିଛନ୍ତି ଓଡିଶାରେ କଂଗ୍ରେସ ଗଢିଲେ ପ୍ରତ୍ୟେକ ଲୋକଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି ବିଜୁଳି ସହ ଗ୍ୟାସ୍ ୫ ଶହ ଟଙ୍କାରେ ଦିଆଯିବ । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ମିଳିବ । ଏପରିକି ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଦିଆଯିବ । ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ଟଙ୍କା ମିଳିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।

ସେ କହିଛନ୍ତି, ୨୨ ଜଣଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଦେଇଛନ୍ତି ମୋଦୀ । ହେଲେ କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କ ଅର୍ଥ ଫେରସ୍ତ ହେବ । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ । ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରତି ମାସରେ ୮ ହଜାର ୫୦୦ ଟଙ୍କା ମହିଳାଙ୍କ ଖାତାକୁ ଯିବ । ଯୁବକଙ୍କୁ ରୋଜଗାର ଦିଆଯିବ ଏବଂ ଗୋଟିଏ ବର୍ଷରେ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ରର ମୋଦୀ ସରକାର ୨୨ ଜଣ ଲୋକଙ୍କୁ ଅରବପତି କରି ଦେଲେ । କିନ୍ତୁ ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ । କମିଶନ ବସାଇବୁ ଏବଂ ଚାଷୀଙ୍କ ଋଣ ଛାଡ କରିବୁ । ଆଶା ଓ ଅଙ୍ଗନବାଡି ଦିଦିଙ୍କ ପାରିଶ୍ରମିକ ଦୁଇ ଗୁଣା କରିବୁ । ମନରେଗା ମଜୁରୀ ୪ ଶହ ଟଙ୍କାକୁ ବୃଦ୍ଧି କରିବୁ । ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ ।

ପେହଲି ଜୌକରୀ ପକ୍କି ଯୋଜନା ଆଣିବ କଂଗ୍ରେସ । ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ । ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ । ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍ ଦିଆଯିବ । ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ ବୋଲି ରାହୁଲ କହିଛନ୍ତି ।