Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଂଗ୍ରେସର ୮ ବିଧାନସଭା ଓ ୨ ଲୋକସଭାରେ ପ୍ରାର୍ଥୀ ଘୋଷଣା, ନଗେନ୍ଦ୍ର-ଫିର୍ଦ୍ଦୋସଙ୍କୁ ମିଳିଲା ଟିକେଟ୍

ଭୁବନେଶ୍ଵର: କଂଗ୍ରେସ ରବିବାର ୮ ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଶା ଅନୁଯାୟୀ ସମ୍ବଲପୁର ଲୋକସଭାରେ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ କଟକ ଲୋକସଭା ସିଟରୁ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଦୁଇଟି ବିଧାନସଭା ସିଟରେ ଦଳ ପ୍ରାର୍ଥୀ ବଦଳାଇଛି।

ଆଶା ମୁତାବକ କଟକ ବାରବାଟୀରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। ବାରିପଦାରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି  ବାଦଲ ହେମ୍ବ୍ରମଙ୍କ ବଦଳରେ  ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ଟିକେଟ୍ ଦେଇଛି। ଜଳେଶ୍ଵରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ଵରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ  ଅଜୟ ସାମଲ, ପାଲଲହଡ଼ାରୁ ଫକୀର ସାମଲ, ଜଗତସିଂହପୁର ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀକରିଛି। ସେହିପରି  ଖଣ୍ଡପଡ଼ାରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବଦଳାଇ ମନୋଜ କୁମାର ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳାଙ୍କୁ ପ୍ରାର୍ଥୀ କରିଛି।

ଆଶା ମୁତାବକ ଆଠମଲ୍ଲିକର ତିନି ଥର ବିଧାୟକ ତଥା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ସମ୍ବଲପୁର ଲୋକସଭା ସିଟ୍ରୁ ପ୍ରାର୍ଥୀ କରିଛି। ନଗେନ୍ଦ୍ର କିଛି ଦିନ ତଳେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଫଳରେ ସମ୍ବଲପୁରରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପକ୍ଷରୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ମଇଦାନରେ ଅଛନ୍ତି।

ସେହିପରି କଟକ ଲୋକସଭାରେ  ଦଳ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେପି ୬ ଥରର ସାଂସଦ ଭର୍ତ୍ତୃହରିଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡି ପକ୍ଷରୁ କର୍ପୋରେଟ୍‌  ଜଗତରୁ ରାଜନୀତିରେ ପ୍ରବେଶ କରିଥିବା ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି।

ଆଜିର ପ୍ରାର୍ଥୀଙ୍କୁ ମିଶାଇ କଂଗ୍ରେସ ୧୪୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆଉ  ଗୋଟିଏ ସିଟ୍ ବାକି ରହିଛି। ସେହିପରି ଲୋକସଭାରେ ଦଳ ୧୯ଟିରେ ପ୍ରାର୍ଥୀ ଦେଇଥିବା ବେଳେ ଆଉ ୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିବାର ଅଛି।