ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜିରୁ ନାମାଙ୍କନ ଭରିବେ ନବୀନ


ଭୁୁବନେଶ୍ୱର: ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ଏପ୍ରିଲ ୩୦ ତାରିଖ ଅର୍ଥାତ ମଙ୍ଗଳବାର ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ପ୍ରଥମେ ନାମାଙ୍କନ ଦାଖଲ କରିବେ । ନବୀନଙ୍କ ଗସ୍ତ ଓ ନାମାଙ୍କନକୁ ନେଇ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି ।

ନର୍ଲାରୁ ଟିକେଟ୍ ନପାଇ ନିରାଶ ହୋଇଥିବା ବରିଷ୍ଠ ନେତା ତଥା ବିଧାୟକ ଭୂପିନ୍ଦର ସିଂଙ୍କୁ କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀର ମୁଖ୍ୟ ନିର୍ବାଚନ ସଂଯୋଜକ ଭାବେ ବିଜେଡି ନିଯୁକ୍ତି ଦେଇଛି । ନବୀନ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ଗସ୍ତରେ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଏହାପରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ । ଏହା ପୂର୍ବରୁ ବିଜେଡି ସୁ୍‌ପ୍ରିମୋ ନବୀନ ମାତ୍ର ୨ଘଣ୍ଟା ପାଇଁ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଗସ୍ତରେ ଯାଇ ୨ଟି ସାଧାରଣ ସଭାକୁ ସମ୍ବୋଧିତ କରି ଫେରିଥିଲେ ।

ସୂଚନାଯୋଗ୍ୟ, ମେ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏଥିରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଥିବା ୨୮ ବିଧାନସଭା ସିଟରେ ମତଦାନ ହେବ । ତେଣୁ ନବୀନ ଦୁଇଟି ସିଟରେ ନିଜର ନାମାଙ୍କନ ପ୍ରକ୍ରିୟା ସାରି ଏହି ସବୁ ସିଟରେ ନିର୍ବାଚନ ପ୍ରକ୍ରିୟା ଜୋରଦାର କରିବାକୁ ବିଜେଡି ଯୋଜନା କରିଛି ।