Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ପାଇଁ ବିଜେପିର ସଂକଳ୍ପ ପତ୍ର, ରତ୍ନ ଭଣ୍ଡାରଠୁ ନେଇ ଚିଟଫଣ୍ଡ; ୨୧ ବଡ଼ ପ୍ରତିଶ୍ରୁତି ଦେଲା ଦଳ

ଭୁବନେଶ୍ଵର: ଓଡ଼ିଶାରେ ବିଜେପି ଆଜି  ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଏଥିରେ ୨୧ ପ୍ରସ୍ତାବ ପାରିତ ହୋଇଛି। କୃଷକ, ଯୁବ ପିଢି, ମହିଳା ଓ ଗରିବ ବର୍ଗଙ୍କୁ ଧ୍ୟାନରେ ରଖି ଇସ୍ତାହାର ପ୍ରସ୍ତୁତ କରିଛି ଦଳ। ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣାରେ ଉଲ୍ଲେଖ କରାଯାଇଛି।

ଏହି ଅବସରରେ ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ ରାଜନୀତିର ସଂସ୍କୃତି ବଦଳିଛି। ବର୍ତ୍ତମାନ ନିର୍ବାଚନୀ ଇସ୍ତାହାରର ଗରିମା ଓ ମହତ୍ଵ ବଢି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଲୋକ ଦେଖାଣିଆ ଥିଲା ଏବଂ ଘୋଷଣାରେ ସୀମିତ ଥିଲା।  ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ। ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଏବେ ଭାରତର ଅତି ଗରିବଙ୍କ ସଂଖ୍ୟା ୧%ରୁ ମଧ୍ୟ କମ୍ ବୋଲି ନଡ୍ଡା କହିଛନ୍ତି।

ଜେପି ନଡ୍ଡା କହିଛନ୍ତି, ଓଡିଶାର ଲୋକେ ରୋଜଗାର ନ ପାଇ ଲୋକ ଦାଦନ ପଳାଉଛନ୍ତି। ଏଠାକାର ସରକାରକୁ ଚିନ୍ତା ନାହିଁ। ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ।ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ବର ୱାନ୍‌ ସ୍ଥାନରେ ରହିଛି। ବଳାତ୍କାର, ହତ୍ୟାରେ ବିଜୁ ଜନତା ଦଳର ନେତା ସଂପୃକ୍ତ ଅଛନ୍ତି। ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି। ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ହସ୍ପିଟାଲ କୋମାକୁ ଚାଲିଯାଇଛି ବୋଲି ନଡ୍ଡା କହିଛନ୍ତି।

ବିଜେପିର ସଂକଳ୍ପ ପତ୍ରର ମୁଖ୍ୟାଂଶ

ଦୁର୍ନୀତି ବିରୋଧରେ ଶୂନ୍ୟସହସୀଳ ନୀତି। ଦୋଷୀଙ୍କୁ ଦଣ୍ଡ ମିଳିବ।

ଚିଟଫଣ୍ଡ ଦୁର୍ନୀତିର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।  ୧୮ ମାସରେ ସବୁ ଚିଟ୍ ଫଣ୍ଡ  ଅର୍ଥ ଜମାକାରୀଙ୍କୁ ଫେରସ୍ତ ହେବ।

ଖଣିଜରୁ ଆୟ  ଓଡ଼ିଶା ଉନ୍ନତିରେ ଖର୍ଚ୍ଚ ହେବ।

ସମୃଦ୍ଧ କୃଷକ ଯୋଜନାରେ  ଏମଏସପି ୩୧୦୦ ଟଙ୍କା ମିଳିବ।

୪୮ ଘଣ୍ଟା ଭିତରେ କୃଷକଙ୍କ ଆକାଉଣ୍ଟ ଯିବ। କଟନି ଛଟନି ସମାପ୍ତ ହେବ।

ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ମିଳିବ। ୨ ବର୍ଷ ଭିତରେ ଏନକ୍ୟାସ୍ କରିବେ।

ଦେଶର ପ୍ରତି ମେଟ୍ରୋ ସିଟିରେ ଓଡ଼ିଆ ଭବନ ନିର୍ମାଣ ହେବ।

୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ।

ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ସହାୟତା ରାଶି ମିଳିବ।

ଶୀତଳ ଭଣ୍ଡାର ସ୍ଥାପନ ହେବ ।

୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ।

ଭୁବନେଶ୍ଵର, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ଵରରେ ଆଇଟି ପାର୍କ ନିର୍ମାଣ ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୧.୫ ଲକ୍ଷ ଖାଲି ପଦବୀ ପୂରଣ ହେବ।

କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ ଓ କେନ୍ଦୁପତ୍ର ବନ୍ଧାଳୀଙ୍କୁ ୧୦ ପ୍ରତିଶତ ବୋନସ୍ ମିଳିବ। 

ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଭତ୍ତା ୩ ହଜାର ଟଙ୍କା କରାଯିବ।

ସାରା ରାଜ୍ୟରେ ବିଶ୍ବସ୍ତରୀୟ ରାସ୍ତା ନିର୍ମାଣ କରାଯିବ।

ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ।

ପିଏମ୍ଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରାଯିବ।

ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ।

ପଶ୍ଚିମ ଓଡ଼ିଶାରେ ୩ଟି ଟେକ୍ସଟାଇଲ୍ ପାର୍କ ସ୍ଥାପନ ହେବ।

ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ୫ ଲକ୍ଷ ବୀମା କଭର ଦିଆଯିବ।

ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ରୋକିବା ପାଇଁ ଜନଜାତି ଛାତ୍ର-ଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ସହାୟତା ଦିଆଯିବ।

ଶ୍ରୀମନ୍ଦିର ପାଇଁ ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା

ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ।

ହଜିଥିବା ଚାବିର ତଦନ୍ତ ହେବ, ରତ୍ନଭଣ୍ଡାର ଖୋଲାଯିବ।

ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଦିଆଯିବ।

ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ।

କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ।

ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ପରିଚାଳନା କରାଯିବ।

ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ