Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ମାରାଥନ ପ୍ରଚାର

ଭୁବନେଶ୍ଵର: ବିଜେପିର ନିର୍ବାଚନୀ ପ୍ରଚାରକୁ ଆହୁରି ଶାଣିତ କରିବା ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ବିଜେପିର ତୁଙ୍ଗ ନେତା ତାଙ୍କୁ ଭବ୍ୟ ସ୍ଵାଗତ ଜଣାଇଛନ୍ତି। ଏହା ପରେ ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯାଇଛନ୍ତି। ସେଠାରେ କିଛି ବରିଷ୍ଠ ନେତାଙ୍କ ସହ ଭୋଜନ କରିବା ସହ ରାତ୍ରଯାପନ କରିବେ। ଏହା ପରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ବ୍ରହ୍ମପୁର ଓ ନବରଙ୍ଗପୁର ଯିବେ । ପିଏମଙ୍କ ଗସ୍ତ ପାଇଁ ଭୁୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୋମବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ସାଢେ ୧୦ଟାରେ ବ୍ରହ୍ମପୁର ଯିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ପରେ ନବରଙ୍ଗପୁର ଯିବେ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରବାର କରିବେ । ନିର୍ବାଚନ ପରିପ୍ରେକ୍ଷୀରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଓଡିଶା ଗସ୍ତ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ସୁରକ୍ଷା ଦାୟିତ୍ୱରେ ୩ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ/ଏଏସଆଇଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ସିଆଇଏସଏଫ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଓଡିଶାରେ ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ଗସ୍ତ ଉପରେ ଏବେ ସଭିଙ୍କ ନଜର ରହିଛି । ଏହା ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଚଣ୍ଡିଖୋଲ ଆସିଥିଲେ ମୋଦୀ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ପ୍ରକଳ୍ପର ଶିଳାନ୍ୟାସ୍ ଓ ଉଦଘାଟନ କରିଥିଲେ । ଏହା ପରେ ଦଳ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଂଶସା କରିଥିଲେ । ତାଙ୍କର ଭାଷଣ ପରେ ହିଁ ଓଡିଶାରେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ୬ ତାରିଖ ନିଜର ଭାଷଣରେ କେବଳ ନିଜ ସରକାରର ଗୁଣଗାନ କରିବେ ନା ଶାଣିତ ସ୍ୱରରେ ବିଜେଡିକୁ ହମଲା କରିବେ ତା ଉପରେ ସଭିଙ୍କ ନଜର ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ