Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶାସକ ଦଳ ଉପରେ ବର୍ଷିଲେ ମୋଦୀ, କହିଲେ- ଜୁନ ୪ ବିଜେଡିର ଏକ୍ସପାଏରୀ ଡେଟ୍‌, ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ବ୍ର୍ରହ୍ମପୁର: ଓଡିଶାରେ ନିଜର ପ୍ରଥମ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଶାସକ ବିଜୁ ଜନତା ଦଳ ଉପରେ ଶାଣିତ ସ୍ୱରରେ ବର୍ଷିଛନ୍ତି । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ସେ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିବା ସହ ବିପୁଳ ପରିମାଣରେ ଭୋଟ୍ ଦେଇ ବିଜେପିକୁ ଜିତାଇବାକୁ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଅପିଲ୍ କରିଛନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି, ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି। ବିଜେପି ଯାହା କହିଥାଏ, ତାହା କାମରେ କରିକି ଦେଖାଇଥାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରୀ ଡେଟ ଲେଖାଅଛି। ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆମେ ସଙ୍କଳ୍ପପତ୍ରର ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବୁ। ଏହା ମୋଦୀେ ଗ୍ୟାରେଣ୍ଟି ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇ ସାରିଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର‌୍ୟ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି। ତଥାପି ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍ ଏହି ପାପ ପାଇଁ ଦାୟୀ । ଓଡ଼ିଶାରେ ବିଜେଡିର ଛୋଟ ଛୋଟ ନେତା ବି ଖୁବ୍ ବଡ଼ ବଡ଼ କମ୍ପାନୀର ମାଲିକ। କିନ୍ତୁ ଏଠାକାର ଲୋକେ ଗରୀବ। ଓଡ଼ିଶା ଧନୀ, କିନ୍ତୁ ଏହାର ଜନତା ଗରିବ। ଏହି ସାଂଘାତିକ ପାପ ପ୍ରଥମେ କଂଗ୍ରେସ ଓ ବିଜେଡି କରିଛନ୍ତି। ଏବେ ଆମେ ଏହା ସୁଧାରିବାକୁ ପଣ କରିଛୁ।

ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି। ଏଥିନିମନ୍ତେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି। ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି। ମୋଦୀ ମାଗଣା ଚାଉଳ ଦେଉଛି, ଏଠାକାର ସରକାର ସେଥିରେ ନିଜ ଫଟୋ ଛାପୁଛି। ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି।

ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ ବୋଲି ବି କହି ବିଜେଡି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଠାରେ ବିଜେଡି ସରକାର ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦେଉନି । ଲୋକଙ୍କୁ ଚିକିତ୍ସା ମିଳି ନ ମିଳିବା ଦାୟୀ ବିଜେଡି ସରକାର। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ସଙ୍ଗେ ସଙ୍ଗେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ। ତେଣୁ ଏଠାରେ ବିଜେପି ସରକାର ହେବା ବହୁତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦୀ କହିଛନ୍ତି, ଓଡ଼ିଶାର ଝିଅକୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି। ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି। ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ବନିବ। ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ। ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍ କରିବୁ।

ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହେଉଛି। ଓଡ଼ିଶାରେ ଡବଲ ଇଂଜିନ ସରକାର ହେଲେ ତ୍ୱରିତ ବିକାଶ ହେବ। ଓଡ଼ିଶାର ତ୍ୱରିତ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଦେଉଛି। ମୋଦୀ ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି। ଏଥିସହ ଅଧିକରୁ ଅଧିକ ଘରକୁ ଯିବାକୁ ସମସ୍ତଙ୍କୁ ପରାମର୍ଶ ଦେଲେ ମୋଦି। ଏଥିସହ କହିଲେ ପ୍ରତି ଘରକୁ ଯାଇ ମୋ’ ତରଫରୁ ଜୟ ଜଗନ୍ନାଥ ଜଣାନ୍ତୁ। ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ। ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ। ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦୀ ସରକାର।