ଚଣ୍ଡିଗଡ: ହରିୟାଣାରେ ମୁସ୍କିଲରେ ବିଜେପି ସରକାର । ତିନି ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାରୁ ବିଜେପି ସରକାର ଉପରେ ଅନାସ୍ଥା ଭୋଟର ବିପଦ ରହିଛି । ଏହି ତିନି ବିଧାୟକ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଏଥିରେ ଉତ୍ସାହିତ ବିରୋଧୀ ଦଳ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଦାବି କରିଛନ୍ତି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୦ ବିଧାୟକ ରହିଛନ୍ତି ।
ନାୟବ ସିଂ ସୈନୀ ସରକାରଙ୍କୁ ଦୁଇ ସ୍ୱାଧୀନ ବିଧାୟକ ନୟନପାଲ ରାୱତ ଓ ରାକେଶ ଦୌଲତାବାଦଙ୍କ ସମର୍ଥନ ପ୍ରାପ୍ତ ରହିଛି । ଏହା ସହିତ ବିଧାୟକ ଗୋପାଳ କାଣ୍ଡା ମଧ୍ୟ ବିଜେପି ସହିତ ରହିଛନ୍ତି । ରାଜ୍ୟର ଦୁଇ ଜଣ ବିଧାୟକ ଇସ୍ତଫା ଦେଇ ସାରିଥିବାରୁ ସଦନରେ ସଦସ୍ୟଙ୍କ ସଂଖ୍ୟା ୮୮ ରହିଛି । ଏମିତି ସ୍ଥିତିରେ ବହୁମତ ସାବ୍ୟସ୍ତ ପାଇଁ ଶାସକ ଦଳକୁ ଦରକାର ୪୫ ବିଧାୟକଙ୍କ ସମର୍ଥନ । ସେପଟେ ତିନି ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାରୁ ବିଜେପି ପାଖରେ ୨ ବିଧାୟକ କମ ଅଛନ୍ତି । ଏହି କାରଣରୁ କଂଗ୍ରେସ ସହିତ ନିକଟରେ ବିଜେପିଠୁ ଅଲଗା ହୋଇଥିବା ଜନନାୟକ ଜନତା ପାର୍ଟିର ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଅନାସ୍ଥା ପ୍ରସ୍ତାବ ଦାବି କରିଛନ୍ତି । କିନ୍ତୁ ବାଚସ୍ପତି ଜ୍ଞାନଚନ୍ଦ ଗୁପ୍ତାଙ୍କ କହିବା କଥା ନାୟବ ସିଂ ସୈନୀ ସରକାର ନିକଟରେ ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ । ତେଣୁ ୬ ମାସ ପୂର୍ବରୁ ପୁନର୍ବାର ଅନାସ୍ଥା ପ୍ରସ୍ତାବ ଅଣା ଯାଇ ପାରିବ ନାହିଁ ।
କଂଗ୍ରେସ ନେତାଙ୍କ ମତରେ ବିଜେପି ସରକାର ବଞ୍ଚାଇବା ପାଇଁ କିଛି ବି କରିପାରେ । ଏହି କାରଣରୁ ବରିଷ୍ଠ ନେତା ଭୂପିନ୍ଦର ସିଂ ହୁଡ୍ଡା ବିଜେପିର ସମର୍ଥନ କରୁ ନ ଥିବା ରାଜ୍ୟପାଳଙ୍କୁ ଚିଠି ଲେଖିବାକୁ ଜଜପାକୁ କହିଛନ୍ତି । ଏମିତି ହେଲେ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦାବି କରିବେ । ଯଦି ଜଜପା ବିଜେପିର ବି ଟିମ୍ ନୁହେଁ ତେବେ ସେମାନଙ୍କୁ ତୁରନ୍ତ ରାଜ୍ୟପାଳଙ୍କୁ ଚିଠି ଲେଖିବା ଉଚିତ୍ ।