ନୂଆଦିଲ୍ଲୀ: କଂଗ୍ରେସର ଦରିଆପାରି ଅଧ୍ୟକ୍ଷ ସାମ ପିଟ୍ରୋଡା ପୁଣି ଥରେ ଏମିତି ବୟାନ ଦେଇଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି । ଏହାକୁ ନେଇ କଂଗ୍ରେସ ଉପରେ ଆକ୍ରମଣାତ୍ମକ ହୋଇ ଉଠିଛି ବିଜେପି । ସାମ ପିଟ୍ରୋଡା କହିଛନ୍ତି, ଭାରତର ପୂର୍ବୋତରର ଲୋକ ଚୀନ ପରି ଏବଂ ଦକ୍ଷିଣର ଲୋକ ଆଫ୍ରିକା ପରି ଦେଖା ଯାଆନ୍ତି ।
ଦ ଷ୍ଟେଟ୍ସମ୍ୟାନ ସହ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ପିଟ୍ରୋଡା ଭାରତର ବିବିଧତାକୁ ନେଇ ନିଜର ମତ ରଖିଥିଲେ । ଏହି ସମୟରେ ସେ କହିଛନ୍ତି, ଆମେ ଭାରତ ପରି ବିବିଧତାପୂର୍ଣ୍ଣ ଦେଶକୁ ଏକ ସଙ୍ଗେ ରଖିପାରିବେ । ଏଠାକାର ପୂର୍ବୋତରର ଲୋକ ଚୀନ ପରି, ପଶ୍ଚିମାଞ୍ଚଳର ଲୋକ ଆରବ ପରି, ଉତ୍ତରର ଲୋକ ଗୋରାଙ୍କ ପରି ଏବଂ ଦକ୍ଷିଣର ଲୋକ ଆଫ୍ରିକା ପରି ଦେଖା ଯାଆନ୍ତି । ଆମେ ସମସ୍ତେ ଗୋଟିଏ ଓ ଭାଇ-ଭଉଣୀ ପରି ଏକାଠି ରହୁଛୁ । ତାଙ୍କର ଏହି ବୟାନ ସଂପ୍ରତି ଭାଇରାଲ ହେବାରେ ଲାଗିଛି ।
ସାମ ପିଟ୍ରୋଡାଙ୍କ ଏହି ବୟାନ ଉପରେ ବିଜେପି ସାଂସଦ ତଥା ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ପୁଣି ଥରେ ଏହା ସ୍ପଷ୍ଟ ହୋଇଛି ଯେ, ପିଟ୍ରୋଡାଙ୍କ ଚିନ୍ତାଧାରା ଭାରତକୁ ନେଇ କିଭଳି ରହିଛି । ଏହା ସ୍ପଷ୍ଟ ଯେ, ସେ ଜଣେ ଅସଫଳ ବ୍ୟକ୍ତି । ସେ ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା । ମୁଁ ଏବେ ବୁଝି ପାରୁଛି ଯେ, ରାହୁଲ କାହିଁକି ଅଯଥା କଥା କୁହନ୍ତି । ଏହା ପରାଜୟର ହତାଶାକୁ ଦର୍ଶାଉଛି । ନା ଏମାନେ ଭାରତକୁ ବୁଝି ପାରିଛନ୍ତି ଏବଂ ନା ଏହାର ଐତିହ୍ୟ ପରମ୍ପରାକୁ ।
କଂଗ୍ରେସ ସାମ ପିଟ୍ରୋଡାଙ୍କ ବୟାନଠୁ ନିଜକୁ ଦୂରେଇ ରଖିଛି । କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି, ଭାରତର ବିବିଧତାକୁ ଦର୍ଶାଇବା ପାଇଁ କରାଯାଇଥିବା ତୁଳନା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଅସ୍ୱୀକାର୍ଯ୍ୟ । କଂଗ୍ରେସ ପିଟ୍ରୋଡାଙ୍କ ଏହି ବୟାନସରେ ସହମତ ନୁହେଁ ଏବଂ ଏଥିରୁ ନିଜକୁ ଦୂରେଇ ରଖୁଛି ।