ମୁୁମ୍ବାଇ: ଶରଦ ପାୱାର ଲୋକସଭା ନିର୍ବାଚନ ୨୦୨୪ ପରର ରାଜନୀତି ପରିଦୃଶ୍ୟକୁ ନେଇ ବଡ ଭବିଷ୍ୟତବାଣୀ କରିଛନ୍ତି । ସେ କହିଛନ୍ତି ସାଧାରଣ ନିର୍ବାଚନ ପରେ ଅନେକ ଆଞ୍ଚଳିକ ଦଳ କଂଗ୍ରେସର ନିକଟତର ହେବେ । କିଛି ଦଳ ତ କଂଗ୍ରେସରେ ନିଜକୁ ବିଲୟ କରି ପାରନ୍ତି । ଯଦି ଏମିତି ହେଲେ ଭଲ ହେବ ତେବେ ତାଙ୍କ ଦଳର ମଧ୍ୟ କଂଗ୍ରେସରେ ବିଲୟ ଘଟିପାରେ । ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନା ବେଳେ ଶରଦ ପାୱାର ଏହି ସଙ୍କେତ ଦେଇଛନ୍ତି।
ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ଏହି କଥା ତାଙ୍କ ପାର୍ଟି ଏନସିପି ଓ ଶରଦ ପାୱାରଙ୍କ ଉପରେ ଲାଗୁ ହେବ । ଏହାର ଉତ୍ତରରେ ପାୱାର କହିଛନ୍ତି, ମୁଁ କଂଗ୍ରେସ ଓ ନିଜ ପାର୍ଟି ଭିତରେ କୌଣସି ଫରକ ଦେଖେ ନାହିଁ । ବିଚାରଗତ ଭାବେ ଆମେ ଗାନ୍ଧୀ ଓ ନେହେରୁଙ୍କ ବିଚାରଧାରାକୁ ମାନିଥାଉ । ମୁଁ ଏବେଠୁ କିଛି କହିବାକୁ ଚାହୁଁନି । ନିଜ ଲୋକଙ୍କ ବିନା କିଛି ବି ବଡ ବୟାନ ଦେବା ଉଚିତ ନୁହେଁ । ବିଚାରଧାରା ଭାବେ ଆମେ କଂଗ୍ରେସର ନିକଟତର । ଆଗାମୀ ରଣନୀତି କିମ୍ବା ପଦକ୍ଷେପ ଉପରେ କୌଣସି ନିଷ୍ପତି ସାମୂହିକ ଭାବେ ନିଆଯିବ ।
ଏହିପରି ଶରଦ ପାୱାର ଖୋଲି କି ନ କହିଥିଲେ ମଧ୍ୟ ଏହାର ସଙ୍କେତ ନିଶ୍ଚୟ ଦେଇଛନ୍ତି ଯେ, କଂଗ୍ରେସରେ ତାଙ୍କ ଏନସିପି ପାର୍ଟିର ବିଲୟ ଘଟିପାରେ । ଶରଦଙ୍କ ଏହି ଟିପ୍ପଣୀ ଏମିତି ସମୟରେ ଆସିଛି, ଯେତେବେଳେ କଂଗ୍ରେସଠୁ ଅଲଗା ହୋଇ ଅନେକ ଦଳର ନେତୃତ୍ୱ ଭାର ଦ୍ୱିତୀୟ ପିଢି ହାତରେ ରହିଛି । ଏହି ସମୟରେ ଶରଦ ପାୱାର ସହଯୋଗୀ ଦଳ ଉଦ୍ଧବ ସେନା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ଜଣେ ସକରାତ୍ମକ ନେତା । ଆମେ ତାଙ୍କର ଚିନ୍ତାଧାରାର ଶୈଳୀକୁ ବୁଝିଛୁ । ସେ ଆମ ପରି ବିଚାର ରଖିଥାନ୍ତି ।