ବରଗଡ: ବରଗଡ ସଭାରେ ଆରମ୍ଭରୁ ହମଲା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୫ ବର୍ଷ ଭିତରେ ବିଜେଡି ସରକାର ରାଜ୍ୟକୁ ଗରିବୀରୁ ବାହାରକୁ ଆଣି ପାରିନି । ସାରା ଓଡିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । ଲୋକେ କହୁଛନ୍ତି ଆଉ କେତେ ଦିନ ସହିବା । ବିଜେଡି ସରକାର ଏଠାରେ ବିକାଶ କାର୍ଯ୍ୟ କରିବାରେ ବିଫଳ ହୋଇଛି । ବିଜେଡି ସରକାର କିଏ ଚଳାଉଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ପୂରା ଆଉଟସୋର୍ସ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି । ଯିଏ ଓଡିଶାକୁ ଜାଣିନି, ତା ହାତକୁ ଓଡିଶା ଯିବା ଉଚିତ କି । ଓଡିଶାକୁ ବଞ୍ଚାଇବା ଦାୟିତ୍ୱ କାହାର ବୋଲି ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ପଚାରିଛନ୍ତି । ମୋ ଓଡିଶାକୁ ବଞ୍ଚାଇବାକୁ ଆପଣମାନଙ୍କୁ ପ୍ରାର୍ଥନା କରୁଛି । ଅପାର ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶା ଗରିବ କାହିଁକି । ଏହାର କାରଣ ସରକାର ନିର୍ବାଚିତ ଲୋକ ଚଳାଉ ନାହାନ୍ତି । ସରକାର ପରିଚାଳନା କାର୍ଯ୍ୟ ଆଉଟସୋର୍ସ ହୋଇ ଯାଇଛି ।
ମୋଦୀ କହିଛନ୍ତି, ବିଜେଡି ସରକାର ଭାତ ହାଣ୍ଡି ଖାଲି କରି ଦେଇଛି । ସବୁ ଧନସଂପତ୍ତି ବିଜେଡି ନେତାଙ୍କ ଘରକୁ ପଳାଇଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟୁଛି । ଓଡିଶାକୁ ବରବାଦ କରିଥିବା ବିଜେଡିକୁ ହଟାଇବା ଦରକାର । ଏହି ବିଜେଡି ସରକାର ଆପଣମାନଙ୍କୁ ଧୋକା ଦେଇ ଚାଲିଛି । ଏଠାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୬୧୭ ଟଙ୍କା ମିଳୁଛି । ଚାଷୀଙ୍କ ବାକି ପଇସା ବିଜେଡି ଦଲାଲଙ୍କ ଖାତାକୁ ଚାଲି ଯାଉଛି । ବିଜେପି ଆସିଲେ ୪୮ ଘଣ୍ଟା ଭିତରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ ।
ବରଗଡ ସଭା ସହ ମୋଦୀଙ୍କ ଓଡିଶା ଗସ୍ତ ସଂପନ୍ନ ହୋଇଛି । ଗତକାଲି ରାଜଧାନୀରେ ବିଶାଳ ରୋଡ୍ ଶୋ କରିବା ପରେ ଆଜି ପ୍ରଥମେ ଫୁଲବାଣୀ, ପରେ ବଲାଙ୍ଗୀର ଏବଂ ଶେଷରେ ବରଗଡରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ୱରରେ ହମଲା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଏମିତି ଭାଷଣ ବିଜେପି କର୍ମୀ ଏବଂ ନେତାଙ୍କୁ ଉତ୍ସାହିତ କରିଛି ।