ପୁରା ଦେଶରେ ମାଗଣା ବିଜୁଳି, ମାଗଣା ଶିକ୍ଷା ଓ ଫ୍ରି ଚିକିତ୍ସା, ଜନତାଙ୍କ ପାଇଁ କେଜରିୱାଲଙ୍କ ୧୦ ଗ୍ୟାରେଣ୍ଟି


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆମ୍ ଆଦମୀ ପାର୍ଟି ପକ୍ଷରୁ ସମଗ୍ର ଦେଶର ଜନତାଙ୍କ ସାମ୍ନାରେ ୧୦ ଗ୍ୟାରେଣ୍ଟି ରଖିଛନ୍ତି । ସେ ଦାବି କରିଛନ୍ତି ଯେ, ଜନତା ଯଦି କେନ୍ଦ୍ରରେ ଆମ୍ ଆଦମ ପାର୍ଟିକୁ ନିର୍ବାଚିତ କରିବେ ତେବେ ଦେଶର ବିକାଶକୁ ୧୦ ଅଲଗା ଅଲଗା ପ୍ରକ୍ରିୟାରେ ସୁନିଶ୍ଚିତ କରାଯିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସାମ୍ବାଦିକ ସମ୍ମିଳନୀରେ ୧୦ ଗ୍ୟାରେଣ୍ଟି ଉପସ୍ଥାପନ କରିଛନ୍ତି ।

ଗ୍ୟାରେଣ୍ଟି ନମ୍ବର ଏକ

ସମଗ୍ର ଦେଶରେ ୨୪ ଘଣ୍ଟା ବିଜୁଳି ବିତରଣ କରାଯିବ । ଦେଶର ସର୍ବୋଚ୍ଚ ବିଜୁଳି ଖର୍ଚ୍ଚ ୨ ଲକ୍ଷ ମେଗାୱାଟ ର ହିଛି । ଆମ ପାଖରେ ୩ ଲକ୍ଷ ମେଗାୱାଟ ବିଜୁଳି ଉତ୍ପାଦନ କରିବାର କ୍ଷମତା ରହିଛି । ମାତ୍ର ଖରାପ ପରିଚାଳନା ଯୋଗୁଁ ବିଜୁଳି କାଟ ହେଉଛି । ଆପ୍ ସରକାର ହେଲେ ସମଗ୍ର ଦେଶରେ ଗରିବଙ୍କୁ ୨୦୦ ୟୁନିଟ ମାଗଣାରେ ବିଜୁଳି ମିଳିବ ।

ଗ୍ୟାରେଣ୍ଟି ନମ୍ବର ୨

ସମଗ୍ର ଦେଶରେ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ସରକାରୀ ସ୍କୁଲର ଗୁଣବତ୍ତା ଉନ୍ନତ କରାଯିବ । ଏଥିପାଇଁ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏହିପରି ପ୍ରତି ବର୍ଷ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅଧା କେନ୍ଦ୍ର ସରକାର ଏବଂ ଅଧା ରାଜ୍ୟ ସରକାର ବହନ କରିବେ ।

ଗ୍ୟାରେଣ୍ଟି ନମ୍ବର ୩

ସମଗ୍ର ଦେଶରେ ମୋହଲ୍ଲା କ୍ଲିନିକ ଖୋଲାଯିବ । ଏଥିରେ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଚିକିତ୍ସା ସେବାର ଗୁଣବତ୍ତା ବିଶ୍ୱସ୍ତରୀୟ ରହିବ । ଏଥିରେ ଯେତେ ବି ଖର୍ଚ୍ଚ ହେବ ତାହା ସବୁ ସରକାର ବହନ କରିବେ ।

ଗ୍ୟାରେଣ୍ଟି ନମ୍ବର ୪

ଚୀନ ଆମ ଜାଗାକୁ କବଜା କରି ରହିଛି । ମାତ୍ର କେନ୍ଦ୍ର ସରକାର ଏହି ଖବରକୁ ଲୁଚାଇ ରଖୁଛି । ଆମ ସେନା ବହୁତ ଶକ୍ତିଶାଳୀ । ଭାରତର ଯେତେ ଜାଗା ଚୀନ କବଜାରେ ରହିଛି ସବୁ ଛଡାଇ ଅଣାଯିବ ।

ଗ୍ୟାରେଣ୍ଟି ନମ୍ବର ୫

ଅଗ୍ନିବୀର ଯୋଜନା ଆମର ଯୁବକଙ୍କୁ ଚାରି ବର୍ଷ ପରେ କାଢି ଦିଆଯାଉଛି । ଏହା ଆମ ସେନାକୁ ଦୁର୍ବଳ କରୁଛି । ଏଥିପାଇଁ ଏହି ଯୋଜନା ବନ୍ଦ କରାଯିବ । ଏ ପର୍ଯ୍ୟନ୍ତ ଯେତେ ସାମିଲ ହୋଇଛନ୍ତି, ସେମାନଙ୍କୁ ନିୟମିତ ସେନାରେ ଚାକିରି ଦିଆଯିବ ।

ଗ୍ୟାରେଣ୍ଟି ନମ୍ବର ୬

ଆପ୍ କେନ୍ଦ୍ରରେ ସରକାରକୁ ଆସିଲେ ସ୍ୱାମୀନାଥନ ରିପୋର୍ଟ ଲାଗୁ କରାଯିବ । ଏହି ଅନୁସାରେ କୃଷକଙ୍କୁ ଏମଏସପିର ମୂଲ୍ୟ ଦିଆଯିବ । ଏଥିରେ ଚାଷୀଙ୍କୁ ଫାଇଦା ।

ଗ୍ୟାରେଣ୍ଟି ନମ୍ବର ୭

କେନ୍ଦ୍ର ସରକାର ହେଲେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ।

ଗ୍ୟାରେଣ୍ଟି ନମ୍ବର ୮

ପ୍ରତି ବର୍ଷ ୨ କୋଟି ରୋଜଗାର ସୃଷ୍ଟି କରାଯିବ । ସବୁ ଯୁବପିଢିଙ୍କୁ ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରାଯିବ । ନିଯୁକ୍ତି ବାହାରିବ ଏବଂ ନିରପେକ୍ଷ ଭାବେ ପରୀକ୍ଷା କରାଯିବ ।

ଗ୍ୟାରେଣ୍ଟି ନମ୍ବର ୯

ବିଜେପିର ୱାସିଂ ମେସିନକୁ ଭଙ୍ଗାଯିବ । ସଚ୍ଚୋଟକୁ ଜେଲ୍ ପଠାଇବା ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେବା ଯୋଜନାକୁ ସମାପ୍ତ କରାଯିବ । ପୁରା ଦେଶକୁ ଦୁର୍ନୀତିରୁ ମୁକ୍ତ କରାଯିବ ।

ଗ୍ୟାରେଣ୍ଟି ନମ୍ବର-୧୦

ଦେଶର ବ୍ୟବସାୟୀଙ୍କ ସାହାଯ୍ୟ ଭାରତ ସରକାର କରିବେ । ଦେଶର ଅନେକ ବଡ ବେପାରୀ ନିଜର ବ୍ୟବସାୟ ବନ୍ଦ କରି ବିଦେଶ ଯାଇ ସାରିଛନ୍ତି । ଏଥିରେ ଦେଶର କ୍ଷତି ଘଟୁଛି । ଜିଏସଟିକୁ ପିଏମଏଲଏରୁ ବାହାର କରାଯାଇ ଏହାର ସରଳୀକରଣ କରାଯିବ ।