ଯେତେ ଭିଡିଓ ଆସୁଛି ତାହା ନବୀନଙ୍କର ନୁହେଁ, ଏଆଇ ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଉଛି: ବୈଜୟନ୍ତ


ଭୁବନେଶ୍ୱର: ଏହା ଅତ୍ୟନ୍ତ ଦୁଭାର୍ଗର ବିଷୟ ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନିଜର ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏବେ ସେ ଉକ୍ତ ରାଜନୈତିକ ହ୍ୟାଣ୍ଡଲରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରାଯାଇ ରଖାଯାଇଛି । ତାଙ୍କୁ କଣ୍ଢେଇ ଭଳି ଅନ୍ୟ ଜଣେ ନିୟନ୍ତ୍ରଣ କରୁଛି । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରାଯିବା ଦରକାର ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ।

ବୈଜୟନ୍ତ ପଣ୍ଡା ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ଏବେ ଯେଉଁ ଅଧିକାଂଶ ଭିଡିଓ ଆସୁଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୁହେଁ । ଏଆଇ ଟେକ୍ନୋଲୋଜିର ଉପଯୋଗ କରି ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇ ନବୀନଙ୍କ ଇମେଜରେ ଅନ୍ୟ କେହି କହୁଥିବା ଭଳି ଲାଗୁଛି । ନବୀନ ମଞ୍ଚରେ ଦେଉଥିବା ଭାଷଣ ଓ ଭିଡିଓରେ ରହୁଥିବା ଭାଷଣକୁ ଦେଖିଲେ ସହଜରେ ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀ ମଞ୍ଚରେ ହେଉ ଅବା ହେଲିକପ୍ଟରରେ ବୁଲିବାର ଯେଉଁ ଭିଡିଓ ଏବଂ ଡିପ୍ ଫେକ୍ ଭିଡିଓ ମଧ୍ୟରେ ଆକାଶପାତାଳ ଫରକ ରହିଛି ବୋଲି ବିଜେପି ନେତା କହିଛନ୍ତି ।

ରାଜ୍ୟବାସୀ ଓ ଗଣମାଧ୍ୟମ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବା ଦରକାର । ମୁଖ୍ୟମନ୍ତ୍ରୀଙ୍କୁ ନିଜର ଡିପ୍ ଫେକ୍ ଭିଡିଓ ସମ୍ପର୍କରେ ଜଣାଅଛି କି ନାହିଁ । ତାଙ୍କୁ କବଜାରେ ରଖିଥିବା ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀଙ୍କ ଇମେଜ୍ ଓ ସ୍ୱର ଲଗାଇ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରି ଛାଡ଼ୁଛନ୍ତି । ମୋତେ ତ ଖାଲି ଆଖିରେ ଏସବୁ ଦେଖାଯାଉଛି ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଭୋଟ୍ ଦେଇ ଯାହାଙ୍କୁ ନିର୍ବାଚିତ କରି ମୁଖ୍ୟମନ୍ତ୍ରୀ କରାଯାଇଥିଲା ତାଙ୍କୁ ଏବେ ବନ୍ଦୀ କରାଯାଇଛି । କଣ୍ଢେଇ ଭଳି ତାଙ୍କୁ ଅନ୍ୟଜଣେ କଣ୍ଟ୍ରୋଲ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଠି ବି ଦେଖିବାକୁ ମିଳୁଛି ସେଠାରେ ତାଙ୍କ ସହ ସମ୍ପୃକ୍ତ ବ୍ୟକ୍ତି ହିଁ ଦେଖିବାକୁ ମିଳୁଛନ୍ତି । ଜଣେ ବ୍ୟକ୍ତି ତାଙ୍କ ପାଖରେ ରହି ତାଙ୍କୁ ସମ୍ପୂର୍ଣ୍ଣ ଭାବେ କବଜା କରି ରଖିଛନ୍ତି । ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ ।