ଘସିପୁରାରୁ ନିର୍ବାଚନ ଜିତିବେ ତ ସୌମ୍ୟ ? ହାରିଲେ ରାଜ୍ୟନୈତିକ କ୍ୟାରିୟରରେ ପଡିପାରେ ପୂର୍ଣ୍ଣଛେଦ


ଭୁବନେଶ୍ୱର: ବିଜେପିରେ ମିଶିବେ ଏବଂ ଘାସିପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ । ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଏମିତି ଢେର ଚର୍ଚ୍ଚା ଚାଲିଲା । ହେଲେ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ୍ ମିଳିଲା ନା ସେ ବିଜେପିରେ ଯୋଗ ଦେଲେ । ବର୍ତ୍ତମାନ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଘସିପୁରା ମଇଦାନରେ ଅଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ବିଜେଡିର ପୁରୁଖା ନେତା ବଦ୍ରିନାରାୟଣ ପାତ୍ର । ତେବେ ପ୍ରଶ୍ନ ଉଠୁଛି ସୌମ୍ୟରଞ୍ଜନ ଘସିପୁରାରେ ନିର୍ବାଚନ ଜିତି ପାରିବେ ତ ?

ଦୀର୍ଘ ବର୍ଷ ପରେ ସେ ନିଜର ଜିଲ୍ଲା କେନ୍ଦୁଝରର ଘସିପୁରାରୁ ନିର୍ବାଚନ ଲଢୁଛନ୍ତି । ତେବେ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଏତେ ବର୍ଷ ଧରି ସୌମ୍ୟରଞ୍ଜନ କୁଆଡେ ଥିଲେ । କଣ ନିଜ ମାଟି ଏବଂ ଜିଲ୍ଲା କଥା ମନେ ପଡୁ ନ ଥିଲା କି ? ନିର୍ବାଚନ ପାଖେଇବାରୁ ଏବେ ତାଙ୍କୁ ନିଜ ମାଟି କଥା ମନେ ପଡିଲା ବୋଲି ବଦ୍ରି ସୌମ୍ୟଙ୍କୁ ଟାର୍ଗେଟ୍ କରି କହିଛନ୍ତି । ଘସିପୁର ହେଉଛି ବିଜେଡିର ଗଡ । ୨୦୦୯ରେ ବିଧାନସଭା ଆସନର ମାନ୍ୟତା ପାଇଥିବା ଏହି ସିଟରେ ତିନି ଥର ନିର୍ବାଚନ ହୋଇଛି । ୨୦୦୯, ୨୦୧୪ ଏବଂ ୨୦୧୯ରେ ବଦ୍ରି ନାରାୟଣ ପାତ୍ର ଏଠାରୁ ଜିତି ଆସୁଛନ୍ତି ।

ଅନ୍ୟପଟେ ସୌମ୍ୟରଞ୍ଜନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରେ ଖଣ୍ଡପଡାରୁ ନିର୍ବାଚନ ଲଢି ୮୧ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ନିର୍ବାଚନ ଜିତି ଇତିହାସ ରଚିଥିଲେ । କାରଣ ଏ ପର୍ଯ୍ୟନ୍ତ କୌଣସି ନେତା ଏତେ ବଡ ବ୍ୟବଧାନରେ ନିର୍ବାଚନ ଜିତି ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହିଞ୍ଜିଳିରୁ ଏତେ ବ୍ୟବଧାନରେ ଜିତି ନାହାନ୍ତି । ୨୦୧୪ରେ ଖଣ୍ଡପଡାରୁ ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କୁ କଡା ଟକ୍କର ଦେଇ ମାତ୍ର ୬୦୧ ଖଣ୍ଡ ଭୋଟରେ ହାରିଥିଲେ ସୌମ୍ୟରଞ୍ଜନ ।

ତେବେ ୨୦୨୪ ରାଜନୈତିକ ପାଣିପାଗରେ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୌମ୍ୟ କୌଣସି ଦଳରେ ନାହାନ୍ତି । ତା ଉପରେ ଖଣ୍ଡପଡା ଛାଡି ଘସିପୁରାରେ ନିର୍ବାଚନ ଲଢୁଛନ୍ତି । ଏଠି ବିଜେଡି ଓ ବିଜେପିର ସଂଗଠନ ମଜବୁତ ରହିଥିବା ବେଳେ ପଛରେ ରହିଛନ୍ତି ସୌମ୍ୟ । ତେଣୁ ତାଙ୍କର ନିର୍ବାଚନ ଜିତିବାର ସମ୍ଭାବନା କ୍ଷୀଣ ଲାଗୁଛି । କିନ୍ତୁ ସେ ବିଜେଡି କିମ୍ବା ବିଜେପିର ଭୋଟ୍ କାଟି ପାରନ୍ତି । କିନ୍ତୁ ନିର୍ବାଚନ ହାରିଲେ ସୌମ୍ୟରଞ୍ଜନଙ୍କ ରାଜନୈତିକ କ୍ୟାରିୟର ଉପରେ ପୂର୍ଣ୍ଣଛେଦ ପଡିପାରେ । ଆଉ ତାଙ୍କର ରାଜନୈତିକ ମହତ୍ୱାକାଂକ୍ଷୀ ଉପରେ ବ୍ରେକ ଲାଗିପାରେ ।

ବିଜେଡିରୁ ବହିଷ୍କୃତ ହେବା ପରେ ସୌମ୍ୟଙ୍କ ରାଜନୈତିକ କ୍ୟାରିୟର କ’ଣ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ତାଙ୍କୁ କେତେ ସଫଳ କରାଇବ ତାହା ଜୁନ ୪ ତାରିଖ ଜଣା ପଡିବ । ହେଲେ ଘସିପୁରାରର ସାଂପ୍ରତିକ ସ୍ଥିତି ଏବଂ ସମୀକରଣ ତାଙ୍କ ସପକ୍ଷରେ ଯାଉ ନଥିବା ଚର୍ଚ୍ଚା ହେଉଛି.