Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ନଡ୍ଡାଙ୍କ ରୋଡ୍ ଶୋ, କହିଲେ- ନବୀନ ବାବୁଙ୍କୁ ବିଶ୍ରାମ ଦରକାର, ଓଡିଆ କହି ପାରୁଥିବା ମୁଖ୍ୟମନ୍ତ୍ରୀ ଦରକାର

ଭୁୁବନେଶ୍ୱର: ଗତକାଲି କଟକରେ ଅମିତ ଶାହଙ୍କ ରୋଡ ଶୋ ପରେ ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଶାଳ ରୋଡ୍ ଶୋ କରିଛନ୍ତି । ଏହି ସମୟରେ ସେ ବିଜେଡି ସରକାରକୁ ସିଧାସଳଖ ଟାର୍ଗେଟ୍ କରିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ।

ରୋଡ ଶୋ ବେଳେ ନଡ୍ଡା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଓଡିଶାର ଲୋକେ ଜଣେ ସକ୍ରିୟ ମୁଖ୍ୟମନ୍ତ୍ରୀ ଚାହାନ୍ତି । ଯେଉଁ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଓଡିଆରେ କଥା ହୋଇ ପାରୁଥିବେ ଏବଂ ଓଡିଆର ଅସ୍ମିତା ସହ ଯୋଡି ହୋଇ ରହିଥିବେ । କିନ୍ତୁ ଓଡିଶାକୁ ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ଅଫିସର ଚଳାଉଛି । ଏଥିପାଇଁ ଓଡିଶାବାସୀ ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି । ବିଜେପିକୁ ଜିତାଇବାକୁ ଚାହାନ୍ତି । ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ନଡ୍ଡା କହିଛନ୍ତି । ଏହା ସହିତ ସେ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ବର୍ଷିଛନ୍ତି ।

ଜେ.ପି ନଡ୍ଡାଙ୍କ ଏହି ବିଶାଳ ରୋଡ ଶୋ’ ମାଉସୀ ମା’ ମନ୍ଦିରରୁ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍ ହୋଇଥିଲେ। ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାର ସାଧାରଣ ଜନତାଙ୍କ ଅଭିବାଦନକୁ ହାତ ହଲାଇ ନଡ୍ଡା ଗ୍ରହଣ କରିଥିଲେ। ନଡ୍ଡାଙ୍କ ସହ ଏହି ରୋଡ ଶୋ’ରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂ ସାମିଲ ହୋଇଥିଲେ। ରୋଡ ଶୋ’ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବା ପରେ ଜେ.ପି ନଡ୍ଡା ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ।

ସୂଚନାଯୋଗ୍ୟ, ମେ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୀରେ ବିଶାଳ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ମେ ୨୧ ତାରିଖରେ କଟକ ଓ ଅନୁଗୁଳରେ ମୋଦୀଙ୍କ ଜନସଭା ରହିଛି । ଏଥର ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଆରପାର ଲଢେଇ ହେଉଛି । ୨୫ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ସରକାର ଗଢିବାକୁ ଅଣ୍ଟା ଭିଡିଛି ବିଜେପି । ସେଥିପାଇଁ ମାଳ ମାଳ କେନ୍ଦ୍ରୀୟ ନେତା ଘନ ଘନ ଓଡିଶା ଗସ୍ତ କରି ପ୍ରଚାର ଜୋରସୋର କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ