ଅନୁଭବଙ୍କୁ ମିଳିଲା ବଡ ଆଶ୍ୱସ୍ତି, NBW ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା ବଡ ଆଶ୍ୱସ୍ତି । ତାଙ୍କ ବିରୋଧରେ ଜେଏମଏଫସି କୋର୍ଟ ଦ୍ୱାରା ଜାରି ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଫଳରେ ଅନୁଭବଙ୍କୁ ଏବେ ପୋଲିସ ଗିରଫ କରି ପାରିବ ନାହିଁ । କିନ୍ତୁ କେନ୍ଦ୍ରାପଡାର ଏହି ସାଂସଦଙ୍କୁ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ପଡିବ ।
ଅନୁଭବ ଜେଏମଏଫସି କୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଅନୁଭବଙ୍କୁ ବଡ ଆଶ୍ୱସ୍ତି ଦେଇ ଏନବିଡବ୍ଲ୍ୟୁ ଉପରେ ରୋକ୍ ଲଗାଇଛନ୍ତି । ଏବେ କେବଳ ଅନୁଭବଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡିବ ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ଯାତନା ଅଭିଯୋଗ ଆଧାରରେ ଅନୁଭବ ମହାନ୍ତିଙ୍କ ବିରୋଧରେ ଚାର୍ଜଫ୍ରେମ ହେବାର ଥିଲା । ଏଥିପାଇଁ କୋର୍ଟରେ ହାଜର ହେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ହାଜର ନ ହୋଇ ଅନୁଭବ ସମୟ ମାଗୁଥିଲେ । ଶେଷରେ ମେ ୧୩ ତାରିଖରେ ଜେଏମଏଫସି କୋର୍ଟ ସାଂସଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡଲ୍ଲ୍ୟୁ) ଜାରି କରିଥିଲେ । ଅନୁଭବଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁରୀଘାଟ ଥାନା ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଅନୁଭବଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏହାକୁ ରଦ୍ଦ କରିବା ପାଇଁ ଅନୁଭବ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ବର୍ଷାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଅଭିନେତାଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ଯୁକ୍ତି ବାଢିଥିଲେ । ବର୍ଷା ଓକିଲ କହିଥିଲେ, ନିର୍ଯାତନା ମାମଲାରେ ଅନୁଭବଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବ ଚାର୍ଜଫ୍ରେମ ପାଇଁ ତଳ କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା ।