ଏଥର ବିଜେଡି ଜିତିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ: ଅପରାଜିତା


ଭୁୁବନେଶ୍ୱର: ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହିନାହିଁ । ଏହା ପାଣ୍ଡୁ ଜନତା ଦଳ । ଯଦି ଆପଣ ବିଜେଡିକୁ ଭୋଟ୍ ଦେଉଛନ୍ତି ତେବେ ଜାଣି ରଖନ୍ତୁ ଏହା ଆପଣ ପାଣ୍ଡୁଜୀଙ୍କୁ ଭୋଟ୍ ଦେଉଛନ୍ତି । କାରଣ ବିଜେଡି ଜିତିଲେ ଏଥର ନବୀନ ନୁହେଁ, ପାଣ୍ଡୁଜୀ ମୁଖ୍ୟମନ୍ତ୍ରୀ ହେବେ । ଆଜି ଏମିତି ଶାଣିତ ସ୍ୱରରେ ବିଜେଡି ଉପରେ ବର୍ଷିଛନ୍ତି ଭୁୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀରେ ରୋଡ୍ ଶୋ କରିଥିଲେ । ମାଉସୀ ମା ମନ୍ଦିରରୁ ରୋଡ ଶୋ ବାହାରି ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରେ ସରିଥିଲା । ଏହା ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ନଡ୍ଡା । ଏହି ଅବସରରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ସାଂସଦ ଷଡଙ୍ଗୀ କହିଛନ୍ତି, ଓଡିଶାବାସୀ ଏବେ ଓଡିଆ ଓ ଅସ୍ମିତା ବୁଝି ପାରୁଥିବା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଯେଉଁ ମୁଖ୍ୟମନ୍ତ୍ରୀ ସକ୍ରିୟ ଶାସନ ବ୍ୟବସ୍ଥା ସହ ରହି ଗରିବ ଓ ଯୁବ ବର୍ଗଙ୍କ ବିକାଶ, ମହିଳା ଓ ଚାଷୀଙ୍କ ବିକାଶ ପାଇଁ କାମ କରୁଥିବେ । ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିୟନ୍ତ୍ରଣ ହେଉଥିବା ଦରକାର । ଓଡିଶାବାସୀ ସେମିତି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି ଅପରାଜିତା କହିଛନ୍ତି ।

ଗତକାଲି କଟକରେ ଅମିତ ଶାହଙ୍କ ରୋଡ ଶୋ ପରେ ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଶାଳ ରୋଡ୍ ଶୋ କରିଛନ୍ତି । ଏହି ସମୟରେ ସେ ବିଜେଡି ସରକାରକୁ ସିଧାସଳଖ ଟାର୍ଗେଟ୍ କରିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ମେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଭୁୁବନେଶ୍ୱରରେ ରୋଡ୍ ଶୋ କରିଥିଲେ ।

ମେ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୀରେ ବିଶାଳ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ମେ ୨୧ ତାରିଖରେ କଟକ ଓ ଅନୁଗୁଳରେ ମୋଦୀଙ୍କ ଜନସଭା ରହିଛି । ଏଥର ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଆରପାର ଲଢେଇ ହେଉଛି । ୨୫ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ସରକାର ଗଢିବାକୁ ଅଣ୍ଟା ଭିଡିଛି ବିଜେପି । ସେଥିପାଇଁ ମାଳ ମାଳ କେନ୍ଦ୍ରୀୟ ନେତା ଘନ ଘନ ଓଡିଶା ଗସ୍ତ କରି ପ୍ରଚାର ଜୋରସୋର କରୁଛନ୍ତି ।