ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିର କୃଷ୍ଣପ୍ରସାଦରେ ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କ ନିର୍ବାଚନୀ ପ୍ରଚାର କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତିବିରୋଧୀ କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି ।
ପାଣ୍ଡିଆନ କହିଛନ୍ତି ବିଜେପି ଦଳର ବହୁ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ । ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ । କିନ୍ତୁ ଏ ପର୍ଯ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ । ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ ଏମିତି କହୁଛନ୍ତି । ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି, ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା । ଯଦି ଚିଲିକାରେ ସେତୁ ହେବ, କେବଳ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରି ପାରିବେ । ଆଉ କେହି କରି ପାରିବେ ନାହିଁ ।
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ ନବୀନ ବାବୁ । ସେତୁ ନିର୍ମାଣ ପୂର୍ବରୁ ଚିଲିକାରେ ଯାତ୍ରୀବାହୀ ନୌକାସଂଖ୍ୟା ବୃଦ୍ଧି କରାଯିବ । ଚିଳିକାରେ ଡ୍ରେଜିଙ୍ଗ ପାଇଁ ୧୨.୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପାଣ୍ଡିଆନ କହିଛନ୍ତି ଫନି ବାତ୍ୟାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୃଷ୍ଣପ୍ରସାଦ ବ୍ଲକ । ସେ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତି ପଞ୍ଚାୟତକୁ ମନ୍ତ୍ରୀ, ଏମ୍.ଏଲ୍.ଏ ଓ ଅଧିକାରୀମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ନିର୍ବାଚନ ନ ଥିଲା । ଲୋକଙ୍କ ସେବା ଓ ଭଲ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହା କରିଥିଲେ । ଏବେକାର ବିଧାୟକ ୫ ବର୍ଷ ମଧ୍ୟରେ ଥରେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ସମସ୍ୟା ନେଇ ଆସିନାହାନ୍ତି, ତା’ହେଲେ ସେ ଲୋକଙ୍କ ପାଇଁ କାମ କଣ କରିଛନ୍ତି ?
ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବାପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାରକୁ ମାଗଣାରେ ବିଜୁଳି ମିଳିବ । ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ବୋଲି ପାଣ୍ଡିଆନ କହିଛନ୍ତି ।