କାଞ୍ଜିଝରଣ ଗାଁ ନିକଟରେ ସିରିଜ ଦୁର୍ଘଟଣା


ଝାରସୁଗୁଡା ୨୧/୫ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଦୀମାଲ ପଞ୍ଚାୟତ କାଞ୍ଜିଝରଣ ଗାଁ ନିକଟରେ ରବିବାର ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ସିରିଜ ଦୁର୍ଘଟଣା ଘଟିଛି । ଏକ କାର କୁ ଉଭୟ ପଟୁ ଆସୁଥିବା ଦୁଇଟି ଟ୍ରକ ମଝିରେ ଚାପି ଦେଇଥିଲେ । ଫଳରେ କାରଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯିବା ସହିତ ଡ୍ରାଇଭର ଗାଡ଼ି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲା । ଖବର ପାଇ କାଞ୍ଜିଝରଣ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ରେଙ୍ଗାଲି ପୁଲିସ କୁ ସୂଚନା ଦେଇଥିଲେ । ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ କାର ଡ୍ରାଇଭର କୁ ବହୁ କଷ୍ଟରେ ଗୁରୁତର ଭାବେ ଉଦ୍ଧାର କରି ଏନଏଚଏଆଇ ବିଭାଗ ର ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇ ଥିବା ରେଙ୍ଗାଲି ଥାନାଧିକାରୀ ଶ୍ରୀ ଦୁର୍ଗା ସୂଚନା ଦେଇଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ରାତି ପ୍ରାୟ ସାଢେ ଏଗାରଟା ସମୟରେ ଝାରସୁଗୁଡା ପଟୁ ଛତିଶଗଡ଼ ରାୟଗଡ଼ ଅଭିମୁଖେ ଯାଉଥିବା ଜେଏଚ ୦୧ ସିଭି ୪୪୧୧ ଏକ କାରକୁ ରାୟଗଡ଼ ପଟୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବିଆର ୨୬ ପି ୬୩୪୬ ଓ ଝାରସୁଗୁଡା ପଟୁ ରାୟଗଡ଼ ଅଭିମୁଖେ ଯାଉଥିବା ଓଆର ୧୯ କେ ୨୯୧୫ ନମ୍ବର ବିଶିଷ୍ଟ ଦୁଇ ଟ୍ରକ ଉକ୍ତ କାରକୁ ଉଭୟ ପଟୁ ମଝିରେ ଚାପି ଦେଇଥିଲେ । ଠିକ ଏତିକି ବେଳକୁ ବିଆର ୨୬ ପି ୬୩୪୬ ଟ୍ରକର ପଛରେ ଆସୁଥିବା ସିଜି ୦୭ ବିପି ୪୦୨୭ ଅନ୍ୟ ଏକ ଟ୍ରକଟି ଉକ୍ତ ଟ୍ରକର ପଛପଟେ ଚଢ଼ି ଯାଇଥିଲା । ଦୁର୍ଘଟଣା ଘଟିବା ପରେ ତିନି ଟ୍ରକର ଡ୍ରାଇଭର ଫେରାର ହୋଇ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।