‘ବିଜେଡିର ଭ୍ରଷ୍ଟାଚାରୀ ରାକେଟ୍‌, ଚିଟଫଣ୍ଡ ଦୁର୍ନୀତି ଲୋକଙ୍କୁ ଅତିଷ୍ଠ କଲାଣି, କଳା ଚିଠା ସାମ୍ନାକୁ ଆସିଲାଣି’


କଟକ: ଅନୁଗୁଳରେ ଜନସଭା ପରେ କଟକରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବ । ଜୁନ ୧୦ ତାରିଖରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ । ଆଉ ଦିଲ୍ଲୀରେ ମୋଦୀ ସରକାର ଶପଥ ନେବା ବି ନିଶ୍ଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି, କଟକ ଆଧୁନିକ ଶିକ୍ଷାର ନଗରୀ । ବିକଶିତ ଭାରତର ସାମର୍ଥ୍ୟ ବଢାଇବ କଟକ । ଓଡିଶାର ସଂସ୍କୃତିକୁ ବୁଝି ପାରୁ ନ ଥିବା ଲୋକେ କିଭଳି ଏହାର ନେତୃତ୍ୱ ନେବେ । ବିଜେଡିକୁ ୨୫ ବର୍ଷ ଦେଲେ ଏହାର ପରିଣାମ କଣ ହେଲା ଦେଖିଲେ । ଓଡିଶାକୁ ଏବେ ବିଜେଡିର ମନ୍ଥର ସରକାର ପଛକୁ ନେଇ ଯାଇଛି । ଏବେ ଓଡିଶା ପାଇଁ ଡବଲ ଇଞ୍ଜିନ ବାଲା ବିଜେପି ସରକାର ଦରକାର । ଏଠାରେ ବିଜେପିର ପୂର୍ଣ୍ଣ ବହୁମତର ସରକାର ହେବାକୁ ଯାଉଛି । ବିଜେପି ହିଁ ଓଡିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକେ ଅତିଷ୍ଠ ହେଲେଣି । ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ଓଡିଶା ଲୋକଙ୍କୁ ଧୋକା ଦେଇଛି । ବିଜେଡି ଓଡିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି । ବିଜେଡି ନେତା ମାଫିଆଗିରିରେ ପୁରା ୨୪ ଘଣ୍ଟା ଲାଗିଛନ୍ତି । ଓଡିଶାର କୌଣସି ବ୍ଲକ ନାହିଁ ଯାହାର ଲୋକ ଗୁଜରାଟରେ ନାହାନ୍ତି । ଓଡିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ସଦୃଶ । ବିଜେଡି କଳା ଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି ।

ମୋଦୀ କହିଛନ୍ତି, କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ଟଙ୍କା ମିଳିଥିଲା । ମୋଦୀ ସରକାରରେ ଖଣିଜ ନୀତିରୁ ଓଡିଶାକୁ ୫୦ ହଜାର କୋଟି ଟଙ୍କା ମିଳୁଛି । ଡିଏମଏଫରେ ଓଡିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି । ମାତ୍ର ବିଜେଡିର ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି । ଓଡିଶାରେ ସ୍କୁଲ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବାର ଅଭାବ ରହିଛି । ଏ କେନ୍ଦ୍ରୀୟ ଟଙ୍କା କାହା ପକେଟକୁ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ବିଜେଡି ନେତାଙ୍କୁ କମିଶନ ନ ମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି । ବିଜେଡି ନେତା ଆପଣମାନଙ୍କୁ ସବୁ ପ୍ରକାର ଲୁଟି ଚାଲିଛନ୍ତି ।