Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାରେ ୨୫ରେ ତୃତୀୟ ପର୍ଯ୍ୟାୟ ମତଦାନ, ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ବିଜେପି, ବିଜେଡି ଓ କଂଗ୍ରେସ ନିଜର ପ୍ରଚାର ଜୋରଦାର କରିଛନ୍ତି । ବିଜେପି ପକ୍ଷରୁ ଆଜି ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବିଜେଡି ପକ୍ଷରୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ନେତା ଭିକେ ପାଣ୍ଡିଆନ । କଂଗ୍ରେସ ପକ୍ଷରୁ ପ୍ରଚାର କରୁଛନ୍ତି ବରିଷ୍ଠ ମୁଖପାତ୍ର ପବନ ଖେଡା ।

ତୃତୀୟ ପର୍ଯ୍ୟାୟରେ ୬ ସଂସଦୀୟ କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର ଓ ପୁରୀ ସହ ଏହା ଅଧିନରେ ଥିବା ୪୨ ବିଧାନସଭା ସିଟରେ ମତଦାନ ହେବ । ସବୁଠୁ ହାଇଭୋଲଟେଜ୍ ମୁକାବିଲା ଏହି ପର୍ଯ୍ୟାୟରେ ହିଁ ହେଉଛି । କାରଣ ଅନେକ ହେଭିୱେଟ ମଇଦାନରେ ଅଛନ୍ତି ।
ତେବେ ତୃତୀୟ ପର‌୍ୟ୍ୟାୟ ଲଢୁଥିବା ହେଭିୱେଟ୍ ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ଭର୍ତ୍ତୃହରି ମହତାବ, ସଂତୃପ୍ତ ମିଶ୍ର, ଅପରାଜିତା ଷଡଙ୍ଗୀ, ମନ୍ମଥ ରାଉତରାୟ, ସମ୍ବିତ ପାତ୍ର, ଅରୁପ ପଟ୍ଟନାୟକ, ଅନନ୍ତ ନାୟକ ଆଦି ସାଂସଦ ପ୍ରାର୍ଥୀ ଅଛନ୍ତି ।

ସେହିପରି ବିଧାନସଭା ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ରୋହିତ ପୂଜାରୀ ଆଦି ରହିଛନ୍ତି।
ଗତ ନିର୍ବାଚନରେ ଏହି ଆସନଗୁଡିକ ମଧ୍ୟରୁ ବିଜେପି ୨ଟି ଓ ବିଜେଡି ୪ଟି ଲୋକସଭା ସିଟ୍ ଜିତିଥିଲା । ସମ୍ବଲପୁର ଓ ଭୁବନେଶ୍ୱର ଲୋକସଭା ଆସନ ବିଜେପି ଦଖଲରେ ଥିବା ବେଳେ କେନ୍ଦୁଝର, ଢେଙ୍କାନାଳ, କଟକ ଓ ପୁରୀ ଆସନ ବିଜେଡି ଦଖଲରେ ରହିଛି । ସେହିପରି ୪୨ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୩୪ଟି, ବିଜେପି ୬, ଓ କଂଗ୍ରେସ-୨ଟି ଆସନ ଅକ୍ତିଆର କରିଥିଲା।

ତେବେ ଏଥର ସମୀକରଣ ସଂପୂର୍ଣ୍ଣ ଭିନ୍ନ ରହିଛି । ବିଜେଡିକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବା ସହ ବିଜେପିଠୁ କଡା ଟକ୍କର ମିଳୁଛି । ପ୍ରତିଟି ପର୍ଯ୍ୟାୟରେ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ହେଉଛି । ତେଣୁ ଏଥର କହିବା ମୁସ୍କିଲ କେଉଁ ଦଳ କେତେ ସିଟ୍ ଜିତି କ୍ଷମତା ହାତେଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ