ଝାରସୁଗୁଡା ୨୫/୫ (ଓଡ଼ିଶା ନ୍ୟୁଜ ) ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ବିଦ୍ୟୁତ ସବଡିଭିଜନ ଅନ୍ତର୍ଗତ ଝାରୁପଡ଼ା (ପଞ୍ଚଗାଁ) ଓ ୧୯ ଖଣ୍ଡ ମୌଜା ଧୁଲୁଣ୍ଡା ଗ୍ରୀଡ଼ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିନା କାରଣରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗର ଏସଡିଓ ଯତିକାନ୍ତ ପାତ୍ରଙ୍କୁ ଲୋକେ ଫୋନ କଲେ ସେ ଧମକ ଦେବା ଭଳିଆ କଥାବାର୍ତ୍ତା କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏକ ବିରାଟ ଜନ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣା ପଡ଼ିଛି ।
ପ୍ରକାଶ ଥାଉକି ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଫଳରେ ଭୀଷଣ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଛୋଟ ଛୋଟ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ଏବଂ ରୋଗୀଣା ବ୍ୟକ୍ତି ତଥା ଜନ ସାଧାରଣ ଅତିଷ୍ଠ ହୋଇ ପଡୁଛନ୍ତି । ଏହା ବ୍ୟତୀତ ପିଇବା ପାଣି ପାଇଁ ମଧ୍ୟ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏ ଭଳି ସ୍ଥିତିରେ ବିଦ୍ୟୁତ ବିଭାଗ ପକ୍ଷରୁ ବିନା କାରଣରେ ଦିବାରାତ୍ର ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ କରା ଯାଉଛି । ଏହି ପ୍ରସଙ୍ଗ କୁ ନେଇ ଆଜି ସକାଳ ୯ ଟା ସମୟରେ ପଞ୍ଚଗାଁ ଦୁର୍ଗା ମଣ୍ଡପ ପରିସରରେ ସମାଜସେବୀ ଦ୍ଵିତୀୟ ଭୋଇ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅଞ୍ଚଳରେ ହେଉଥିବା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା ଏବଂ ଆସନ୍ତା ସୋମବାର ସନ୍ଧ୍ୟା ୫ ଟା ସମୟରେ ପଞ୍ଚଗାଁ ଠାରେ ଆଗାମୀ ରଣନୀତି ପାଇଁ ଅଞ୍ଚଳବାସୀଙ୍କୁ ନେଇ ଏକ ବିରାଟ ସାଧାରଣ ସଭା ଆୟୋଜନ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିବା ସଭାପତି ଶ୍ରୀ ଭୋଇ ସୂଚନା ଦେଇଛନ୍ତି । ଆଜିର ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ, ବିଦ୍ୟୁତ ଉପଭୋକ୍ତା,ଚାଷୀ, ଯୁବ ସମାଜ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।