Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିଶୁ ବଳି ଯୋଜନା ପଣ୍ଡ ତାନ୍ତ୍ରିକ ଓ ସହଯୋଗୀ ଗିରଫ

ଝାରସୁଗୁଡା ୨୮/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ପଞ୍ଚାୟତ ଝାରଗାଁ ନିକଟସ୍ଥ ସେମେଲ ଡୁଙ୍ଗୁରି ଭିତରେ ନିଜ ସ୍ୱାର୍ଥ ସିଦ୍ଧି ନିମନ୍ତେ ଜଣେ ତାନ୍ତ୍ରିକ ଓ ତାଙ୍କ ସହଯୋଗୀ ମା କାଳୀଙ୍କୁ ପୂଜାର୍ଚ୍ଚନା ପରେ ଜଣେ ନାବାଳକକୁ ବଳି ଦେବା ପାଇଁ ଯୋଜନା କରୁଥିଲେ । ଏ ସମ୍ପର୍କରେ ଜାଣିପାରି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ନାବାଳକକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ତାନ୍ତ୍ରିକ ଓ ସହଯୋଗୀକୁ କାବୁ କରି ପୁଲିସ ଜିମାରେ ଦେଇଥିଲେ । ଉକ୍ତ ନାବାଳକ ର ମାଁ ଙ୍କ ଲିଖିତ ଅଭିଯୋଗ ଆଧାରରେ ରେଙ୍ଗାଲି ପୁଲିସ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ପ୍ରକାଶ କରିଛନ୍ତି । ଅଭିଯୁକ୍ତ ତାନ୍ତ୍ରିକ ଜଣକ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧର ନଗର ଥାନା ଅନ୍ତର୍ଗତ ମହାପାଲି ଗ୍ରାମର ବାଲ୍ମୀକି ୟାଦବ (୩୮) ଓ ଅନ୍ୟ ସହଯୋଗୀ ଲଖନପୁର ବ୍ଲକ କନକତୋରା ପଞ୍ଚାୟତ ଦୟାଡେରା ଗ୍ରାମର ବସନ୍ତ ଭୋଇ(୨୫) ।
ପୁଲିସର ତଥ୍ୟ ଅନୁସାରେ ଅଭିଯୁକ୍ତ ତାନ୍ତ୍ରିକ ବାଲ୍ମୀକି ଓ ସହଯୋଗୀ ବସନ୍ତ ସେହି ଅଞ୍ଚଳର ଜଣେ ୧୨ ବର୍ଷର ନାବାଳକ କୁ ଟଙ୍କା ପ୍ରଲୋଭନ ଦେଖାଇ ସ୍ତ୍ରୀଲୋକଙ୍କ ଶାଢ଼ୀ ଚୋରୀ କରି ଆଣିବା ପାଇଁ ନିୟୋଜିତ କରିଥିଲେ ଏବଂ ଅଭିଯୁକ୍ତ ଦ୍ବୟ ସେହି ଶାଢ଼ୀକୁ ନେଇ ଝାରଗାଁ ଗ୍ରାମ ନିକଟରେ ଥିବା ସେମେଲ ଡୁଙ୍ଗୁରି ଭିତରେ ଥିବା ଏକ ଗଛମୂଳରେ ନିଜ ସିଦ୍ଧି ସାଧନା ନିମନ୍ତେ ତନ୍ତ୍ର ପୂଜା କରି ଆସୁଥିଲେ । ଗତ ୨୪ ତାରିଖ ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ପୂର୍ବଭଳି ସେହି ନାବାଳିକକୁ ଶାଢ଼ୀ ଧରି ପୂଜାସ୍ଥଳକୁ ଆସିବା ପାଇଁ କହିଥିଲେ ଏବଂ ସେ ସେଠାରେ ଶାଢ଼ୀ ଆଣି ପହଞ୍ଚିବା ପରେ ତାନ୍ତ୍ରିକ ବାଲ୍ମୀକି ପୂଜାପାଠ ସହ ଟାଙ୍ଗିଆ ପୂଜା ସାରିବା ପରେ ଉଭୟ ଅଭିଯୁକ୍ତ ବଳି ଦେବାପାଇଁ ନାବାଳକ କୁ ଭିଡ଼ି ଧରିବାରୁ ବାକକ ଜଣକ ଭୟରେ ବଡ଼ ପାଟିରେ ଚିକ୍ରାର କରିଥିଲା । ଆଖପାଖରେ ଥିବା ସ୍ଥାନୀୟ ଲୋକେ ତା ପାଟି ଶୁଣି ଦୌଡ଼ି ଆସି ତାନ୍ତ୍ରିକ କବଳରୁ ନାବାଳକ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ତାନ୍ତ୍ରିକ ଓ ତା ସହଯୋଗୀ ଙ୍କୁ କାବୁ କରି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ପୁଲିସ ବିଟ ହାଉସ ଅଧିକାରୀ ରମେଶ କୁମାର ଭଇଁସାଲ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଛତିଶଗଡ଼ ଅଞ୍ଚଳର ତାନ୍ତ୍ରିକ ବାଲ୍ମୀକି ୟାଦବ (୩୮) ଓ ଅନ୍ୟ ସହଯୋଗୀ ଲଖନପୁର ବ୍ଲକ କନକତୋରା ପଞ୍ଚାୟତ ଦୟାଡେରା ଗ୍ରାମର ବସନ୍ତ ଭୋଇ(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ଦୀର୍ଘ ଦିନ ରୁ ଚାଲିଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

More Stories