Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାପ୍ରଭୁଙ୍କ ଚାପ ଖେଳ ବେଳେ ବଡ ଅଘଟଣ, ବାଣ ବିସ୍ଫୋରଣରେ ୩ ମୃତ, ୩୦ ଆହତ

ପୁରୀ: ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଗତକାଲି ରାତିରେ ଘଟିଛି ବଡ ଅଘଟଣ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ରାତିରେ ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହି ସମୟରେ ଦେବୀଘାଟ ନିକଟ ଦସାତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ । ବାଣ ପଡ଼ି ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଆତହତ ହୋଇଛନ୍ତି।

ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ, ଭୁବନେଶ୍ୱର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକରେ ଜଣେ ୧୫ ବର୍ଷୀୟ ନାବାଳକ ଓ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଦୁଇ ଜଣ ଆଖି ବୁଜିଛନ୍ତି।

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ଅଘଟଣ ବିଷୟରେ ଜାଣି ଦୁଃଖିତ। ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ