ଝାରସୁଗୁଡା ୩୦/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ପୁଲିସ ଆଜି ବଡଭାଇକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସାନଭାଇକୁ କୋର୍ଟ ଚାଲାଣ କରିଛି । ସାନଭାଇ ଜଣକ ହେଉଛନ୍ତି କତରବଗା ପଞ୍ଚାୟତ ସାହାସବଗା ଗ୍ରାମର ପରଦେଶୀ ଗଢୁଆଲଙ୍କ ସାନ ପୁଅ ବଂଶୀ ଗଢୁଆଲ(୪୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ବଡଭାଇର ଲିଖିତ ଅଭିଯୋଗ ଅନୁସାରେ ଗତ ୨୮ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ କତରବଗା ପଞ୍ଚାୟତ ସାହାସବଗା ଗ୍ରାମର ବଂଶୀ ଗଢୁଆଲ ତାଙ୍କ ନିଜ ଘରେ ସ୍ତ୍ରୀ, ଶାଳୀ ଓ ଝିଅ ମାନଙ୍କୁ ଅସଭ୍ୟ ଭାଷାରେ ପାଟିତୁଣ୍ଡ କରିବା ସହିତ ମାଡ଼ଧର କରୁଥିଲେ । ଏଭଳି ଘଟଣାକୁ ଆଖି ଆଗରେ ଦେଖି ବଡଭାଇ ବିଦ୍ୟାଧର ଗଢୁଆଲ ସହି ନ ପାରି ସାନଭାଇ ବଂଶୀ କୁ ଏଥିରୁ ନିବୃତ ରହିବା ପାଇଁ ବାରଣ କରିବାରୁ ସେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ବଡଭାଇ ବିଦ୍ୟାଧର ର ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ । ଫଳରେ ବିଦ୍ୟାଧର ଙ୍କ ମୁଣ୍ଡାଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହା ଦେଖି ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ୨୯ ତାରିଖ ଦିନ ଘଟଣା ସମ୍ପର୍କରେ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଲିଖିତ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ସାନଭାଇ ବଂଶୀ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି ।