ପିଏମ ମୋଦୀଙ୍କ ସାଧନାରେ ଚିନ୍ତିତ ବିରୋଧୀ, ହେଲେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ଆୟୋଗ, ଜାଣନ୍ତୁ କାରଣ


କନ୍ୟାକୁମାରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପାଇଁ ନିଜର ମାରାଥନ ପ୍ରଚାର ଅଭିଯାନ ସାରିବା ପରେ କନ୍ୟାକୁମାରୀର ରୋକ ମେମୋରିୟାଲରେ ପହଞ୍ଚି ଯାଇଛନ୍ତି । ସେଠାରେ ସେ ମୌନ ବ୍ରତରେ ଅଛନ୍ତି ଏବଂ ଜୁନ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସାଧନାରେ ରହିବେ । ବିରୋଧୀ ଏହାର ମିଡିଆ କଭରେଜ ଉପରେ ରୋକ ଲଗାଇବା ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ସହିତ ବିଜେପି ଓ ପିଏମ ମୋଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହେଲେ ଆଇନ ବିଶେଷଜ୍ଞଙ୍କ ମତରେ ନିର୍ବାଚନ ଆୟୋଗ ବୋଧହୁଏ କିଛି କାର୍ଯ୍ୟାନୁଷ୍ଠାନ ନେଇ ପାରିବେନି । ଏହାର କାରଣ ଯେଉଁ ଜନ ପ୍ରତିନିଧିତ୍ୱ ଆଇନର ବ୍ୟାଖ୍ୟା କରି ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନିଅନ୍ତି , ସେଥିରେ କୌଣସି କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇ ପାରିବ ନାହିଁ ।

ଏହା ବ୍ୟତୀତ ୨୦୧୯ର ଉଦାହରଣକୁ ଦେଖି ନିର୍ବାଚନ ଆୟୋଗ କିଛି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ନ ପାରନ୍ତି । ଆଉ ଏକ କାରଣ ହେଉଛି ଗୋଟିଏ ପର୍ଯ୍ୟାୟର ମତଦାନ ସରିବା ପରେ ନେତାମାନେ ଅନ୍ୟ ପର୍ଯ୍ୟାୟ ପାଇଁ ପ୍ରଚାର କରନ୍ତି ଯେଉଁଠି ମତଦାନ ବାକିଥାଏ । ହେଲେ ପିଏମ ମୋଦୀ ଯେଉଁଠି ଯାଇଛନ୍ତି, ସେଠାରେ ମତଦାନ ନାହିଁ । ଯଦି ପିଏମ ମୋଦୀଙ୍କ ସାଧନାକୁ ପ୍ରଚାର କହୁଥିବା ବିରୋଧୀଙ୍କ ତର୍କକୁ ସ୍ୱୀକାର କରାଯାଏ ତେବେ ବି ଏହି ନିୟମ ଆଧାରରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେବା ମୁସ୍କିଲ ।

ଏହା ବ୍ୟତୀତ ଖୋଦ୍ ପ୍ରଧାନମନ୍ତ୍ରୀ ନିଜ ସାଧନା ସମୟରେ ମୌନ ରହିବେ । ତେଣୁ ଏହା କୌଣସି ପ୍ରକାରର ନିୟମର ଉଲ୍ଲଂଘନ କରୁନାହିଁ । ସୂଚନା ଅନୁଯାୟୀ, ପିଏମଓ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମର ସୂଚନା ନିର୍ବାଚନ ଆୟୋଗଙ୍କୁ ପୂର୍ବରୁ ଦିଆଯାଇଥିଲା । ଏହି ମାମଲାରେ କଂଗ୍ରେସ ଇସିଆଇଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି ଯେ, ମୋଦୀଙ୍କ ଏହି କାର୍ଯ୍ୟକ୍ରମର ପ୍ରସାରଣ ଉପରେ ରୋକ ଲଗାଯାଉ । କଂଗ୍ରେସର କହିବା କଥା ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ବାଚନ ଉପରେ ପ୍ରଭାବ ପଡିଥାଏ । ଟିଏମସି ମଧ୍ୟ ଏମିତି ଚିନ୍ତା ପ୍ରକାଶ କରିଛି ।