ପିକ୍ ଆୱାରରେ ବାହାରକୁ ବାହାରୁନ୍ତି ନାହିଁ, ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ: ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଗତକାଲି ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିବା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅସହ୍ୟ ଗରମ ଏବଂ ପ୍ରବଳ ଗୁଳୁଗୁଳିରେ ସାରା ଓଡିଶା କଲବଲ ହେଉଛି । ତେଣୁ ପିକ୍ ଆୱାରରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯିଏ ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଶୁକ୍ରବାର ସୂଚନା ଦେଇଛନ୍ତି ।
ଗତକାଲି ଅସ୍ୱାଭାବିକ ମୃତ୍ୟୁ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ରାଉରକେଲା ଆରଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ପ୍ରାଣହାନୀ ଘଟିଛି। ଏହି ଅସ୍ୱାଭାବିକ ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଛି ନା ଏହା ପଛରେ ଅନ୍ୟ କାରଣ ଅଛି ତାହା ସ୍ପଷ୍ଟ ହୋଇ ନାହିଁ। ଏଥିପାଇଁ ସ୍ୱତନ୍ତ୍ରୀ ଡାକ୍ତରୀ ଦଳ ଗଠନ କରାଯାଇଛି, ଯିଏ ମୃତ୍ୟୁର କାରଣର ସନ୍ଧାନ କରିବେ ।
ପ୍ରବଳ ଖରା ହେଉଥିବାରୁ ସତର୍କତା ସ୍ୱରୂପ ବାହାରକୁ ନ ଯିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଗତକାଲି ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତି ମୁଖ୍ୟତଃ ଶ୍ରମିକ ଶ୍ରେଣୀର ବୋଲି ଜଣାଯାଇଛି। ସେମାନେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ ଟା ମଧ୍ୟରେ ବାହାରେ କାମ କରୁଥିବା ବେଳେ ଅଚାନକ ସେମାନଙ୍କ ଶରୀର ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହା ଅଂଶୁଘାତଜନିତ ମୃତ୍ୟୁ ନା ନୁହେଁ ତାହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍କୁ ପଠାଯାଇଛି। ସେମାନଙ୍କ ରିପୋର୍ଟ ଆସିବା ପରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ ।