ଚତୁର୍ଥ ପର୍ଯ୍ୟାୟ ଭୋଟିଂ, ଦିନ ୧୧ଟା ସୁଦ୍ଧା ୨୨.୯୭ ମତଦାନ


ଭୁବନେଶ୍ୱର: ଆଜି ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଜନତା ନିଜର ମତାଧିକାର ସାବ୍ୟସ୍ତ କଲେଣି । ଏହା ପୂର୍ବରୁ ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନା, ବୈଜୟନ୍ତ ପଣ୍ଡାଙ୍କ ପରି ହେଭିୱେଟ୍ ରହିଛନ୍ତି ।

ଶେଷ ପର୍ଯ୍ୟାୟରେ ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ସହ ୪୨ ବିଧାନସଭା ଆସନରେ ମତଦାନ ଜାରି ରହିଛି । ପ୍ରତି ବୁଥରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ତେବେ କିଛି ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ଖବର ଆସିଛି । କେଉଁଠି ଇଭିଏମରେ ଯାନ୍ତ୍ରିକ ତ୍ରୁଟି ତ ଆଉ କେଉଁଠି ଦୀର୍ଘ ସମୟ ଅଚଳ ରହିଛି ।

ସୂଚନାଯୋଗ୍ୟ, ଏହି ପର୍ଯ୍ୟାୟ ଓଡିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ଏହି ୬ ସଂସଦୀୟ କ୍ଷେତ୍ରକୁ ବିଜେଡିର ଗଡ କୁହାଯାଏ । ହେଲେ ଏଥର ଏହି ଗଡରେ ଧଶେଇ ପଶିବାକୁ ଜୋରଦାର ଉଦ୍ୟମ କରିଛି ବିଜେପି । ଆଉ ବିଜେଡିକୁ କଡା ଟକ୍କର ମଧ୍ୟ ଦେଉଛି । ତେଣୁ ବିଗତ ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଛି ।