ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ସୋମବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆୟୋଗ କହିଛନ୍ତି ସମଗ୍ର ଦେଶରେ ୬୪ କୋଟିରୁ ଅଧିକ ଜନତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହା ଦୁନିଆର ସବୁଠୁ ବଡ ନିର୍ବାଚନ ରହିଛି । ମୁଖ୍ୟ ନିର୍ବାଚନ ଆୟୋଗ ସାମାଜିକ ଗଣମାଧ୍ୟମରେ ଆୟୋଗଙ୍କୁ ଲାପତା ଜେଣ୍ଟଲମେନର ନାମ ଦିଆଯିବାର ମଧ୍ୟ ଜବାବ ଦେଇଛନ୍ତି ।
ଇସିଆଇ କହିଛନ୍ତି, ଜି୭ ଦେଶର ମୋଟ୍ ମତଦାତାଙ୍କଠୁ ଭାରତରେ ଅଧିକ ଭୋଟର ଅଛନ୍ତି । ଚଳିତ ଥର ୬୪ କୋଟିରୁ ଅଧିକ ଲୋକ ମତଦାନ କରିଛନ୍ତି। ୨୦୧୯ ଠାରୁ ୨୦୨୪ରେ ଦେଶର ଅଧିକ ମହିଳା ମତଦାନ କରିଛନ୍ତି । ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ଭାରତ ବିଶ୍ୱ ରେକର୍ଡ କରିଛି । ୨୭ ରାଜ୍ୟର କୌଣସି ବି ବୁଥରେ ପୁନଃ ମତଦାନ ହୋଇନି । ଭୋଟିଂ ବେଳେ ଝାଡଖଣ୍ଡ, ଛତିଶଗଡ, ଓଡିଶାରେ ମାଓ ହିଂସା ହୋଇନି । ଗତ ୪ ଦଶନ୍ଧି ମଧ୍ୟରେ ଜାମ୍ମୁ-କାଶ୍ମୀରରେ ସର୍ବାଧିକ ମତଦାନ ହୋଇଛି ।
ଇସିଆଇ କହିଛନ୍ତି, ଏଥର ଲୋକସଭା ନିର୍ବାଚନରେ ରି-ପୋଲିଂ କମିଛି । ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା । ୨୦୨୪ରେ ମାତ୍ର ୩୯ଟି ବୁଥରେ ସାନି ମତଦାନ ହୋଇଛି । ମଣିପୁର, ଅରୁଣାଚଳ ପ୍ରଦେଶରେ ସର୍ବାଧିକ ୨୫ଟି ବୁଥରେ ସାନି ମତଦାନ ହୋଇଛି । ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟ ବୁଥରେ ହୋଇଛି ।