ନୂଆଦିଲ୍ଲୀ: ସାତୋଟି ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଆଜି ଆରମ୍ଭ ହୋଇ ଯାଇଛି ଭୋଟ୍ ଗଣତି । ସମୟ ଗଡିବା ସହ ପ୍ରାରମ୍ଭିକ ଟ୍ରେଣ୍ଡର ଚିତ୍ର ମଧ୍ୟ ବଦଳିବାରେ ଲାଗିଛି । ଆଉ ଏହି ଚିତ୍ର ଦର୍ଶାଉଛି ଯେ, ଏନଡିଏକୁ ଇଣ୍ଡିଆ ମେଣ୍ଟ କଡା ଟକ୍କର ଦେଉଛି । ସମୟ ଗଡିବା ସହ ଚିତ୍ର ଧିରେ ଧିରେ ଆହୁରି ସ୍ପଷ୍ଟ ହେବାରେ ଲାଗିବ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଏନଡିଏ ୨୯୦ ସିଟରେ ଆଗୁଆ ଚାଲିଥିବା ବେଳେ ଇଣ୍ଡିଆ ମେନ୍ଟ ଦମଦାର ପ୍ରଦର୍ଶନ କରି ୨୦୭ ସିଟରେ ଆଗୁଆ ରହିଛି । ଅନ୍ୟ ୨୦ଟି ସିଟରେ ଅଗ୍ରଣୀ ହାସଲ କରିଛନ୍ତି । ବିଜେପି ୨୪୪ ଏବଂ କଂଗ୍ରେସ ୮୯ ସିଟରେ ଆଗୁଆ ରହିଛି ।
ଏହି ଟ୍ରେଣ୍ଡ ଯଦି ଏମିତି ହୁଏ ତେବେ ସମସ୍ତ ଏକଜିଟ୍ ପୋଲ ଭୁଲ ପ୍ରମାଣିତ ହେବ । ପ୍ରାୟ ସବୁ ଏକଜିଟ ପୋଲରେ ଏନଡିଏ ୩୫୦ରୁ ୪୦୦ ଭିତରେ ସିଟ୍ ଜିତିବ ବୋଲି ଆକଳନ କରିଥିଲେ । କିନ୍ତୁ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଭିତରେ ଭଲ ସଂଘର୍ଷ ଦେଖିବାକୁ ମିଳୁଛି । ୫୪୩ ଲୋକସଭା ଆସନରୁ ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୨୭୨ ସିଟ୍ । ଏନଡିଏ ଆଗୁଆ ରହିଥିଲେ ହେଁ ବହୁ ସିଟ୍ ହରାଉଥିବା ବର୍ତ୍ତମାନର ଟ୍ରେଣ୍ଡରେ ଦେଖିବାକୁ ମିଳିଛି । ତେବେ ଆଗକୁ ଚିତ୍ର ଆହୁରି ସ୍ପଷ୍ଟ ହେବ ଏବଂ ସିଟ୍ ଏପଟ ସେପଟ ହୋଇପାରେ ।
୨୦୧୯ ନିର୍ବାଚନରେ ବିଜେପି ୩୦୩ ଜିତିବା ସହ ଏନଡିଏ ୩୫୩ ସିଟ ଅକ୍ତିକାର କରିଥିଲା । କଂଗ୍ରେସ ୫୨ ସିଟ୍ ଜିତିଥିବା ବେଳେ ୟୁପିଏ ୯୨ ସିଟ୍ ଜିତିଥିଲା । ଅନ୍ୟ ଦଳ ଖାତାକୁ ୯୮ ସିଟ୍ ଯାଇଥିଲା । ତେବେ ଏଥର ଏନଡିଏ ୩୫୦ରୁ ୪୦୦ ସିଟ୍ ଜିତିବ ବୋଲି ପ୍ରାୟତଃ ସବୁ ଏକଜିଟ ପୋଲରେ ଆକଳନ କରାଯାଇଛି ।