ଭୁବନେଶ୍ଵର: ୨୦୨୪ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ବଡ଼ ବିପର୍ଯ୍ୟୟ ପରେ ବି ଲାଗୁଛି ବିଜୁ ଜନତା ଦଳ(ବିଜେଡି) ନେତାଙ୍କ ଚୈତନ୍ୟ ଉଦୟ ହୋଇ ନାହିଁ। ଯେଉଁ ଭିକେ ପାଣ୍ଡିଆନ ପାଇଁ ଦଳ ଏମିତି ଶୋଚନୀୟ ପରାଜୟ ଭୋଗି ୨୪ ବର୍ଷ ପରେ କ୍ଷମତାଚ୍ୟୁତ ହେଲା ସେହି ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ଦଳର କିଛି ନେତା ଆଗେଇ ଆସିଛନ୍ତି। ପାଣ୍ଡିଆନଙ୍କ ପାଇଁ ଓକିଲାତି କରିବାକୁ ପଛାଉ ନାହାନ୍ତି।
ବିଜେଡି ନିର୍ବାଚନ ହାରିବା ପରେ ଦଳର ନେତା ଭିକେ ପାଣ୍ଡିଆନଙ୍କ ଦେଖା ନାହିଁ। ପ୍ରଚାର ସମୟରେ ଦମ୍ଭୋକ୍ତି ପ୍ରକାଶ କରୁଥିବା ଏବଂ ନିର୍ବାଚନ ହାରିଲେ ରାଜନୀତିରୁ ସନ୍ନ୍ୟାସ ନେବା ପରି ବଡ ବଡ ଭାଷଣ ଦେଉଥିବା ପାଣ୍ଡିଆନ କୁଆଡ଼େ ଗଲେ ସବୁଠୁ ଏହି ପ୍ରଶ୍ନ ଉଙ୍କି ମାରୁଛି। ଏହା ମଧ୍ୟରେ ଆଜି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପାଣ୍ଡିଆନଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ଏହା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ଯେ ପାଣ୍ଡିଆନ ଲୁଚି କି ଦିଲ୍ଲୀ ଚାଲିଗଲେ। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଲା। ଏସବୁ ପରେ ଭିକେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଲେ ରାଷ୍ଟ୍ରୀୟ ମୁଖପାତ୍ର ମୁଖପାତ୍ର ସସ୍ମିତ ପାତ୍ର। ସେ ତୋଷାମଦକାରୀର କୌଣସି ସୁଯୋଗ ହାତଛଡ଼ା କଲେନି।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଡକାଇ ଗଣମାଧ୍ୟମକୁ ଦୋଷ ଦେବାକୁ ଉଦ୍ୟମ କରିଛନ୍ତି । ପାଣ୍ଡିଆନଙ୍କ ପକ୍ଷରୁ ଓକିଲାତି କରି କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି। କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ଏହି ଅରୁଚିକର ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ କ୍ଷାନ୍ତ ରୁହନ୍ତୁ । କେହି ନେତା କୁଆଡ଼େ ଗଲେ ଗଣମାଧ୍ୟମକୁ ଖବର ଦେଇ ଯିବାର କୌଣସି ପ୍ରାବଧାନ ନାହିଁ। ଦୟାକରି ଏପରି ଗଣମାଧ୍ୟମ ଏମିତି ଖବର ପ୍ରସାରଣରୁ ବିରତ ରୁହନ୍ତୁ ବୋଲି କହି ପାଣ୍ଡିଆନଙ୍କ ସୁରକ୍ଷାରେ କହିଛନ୍ତି ସସ୍ମିତ। ଏମିତି କହି ସେ ପାଣ୍ଡିଆନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି।
ଏହା ପୂର୍ବରୁ ଆଜି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳର ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି। ଦଳର ମିଟିଂ ଚାଲିଥିବା ବେଳେ ପାଣ୍ଡିଆନ କାହିଁକି ରହିଲେନି ପ୍ରଶ୍ନରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନବୀନଙ୍କ ଇଚ୍ଛା କାହାକୁ କେତେବେଳେ ରଖିବେ, କାହାକୁ ନ ରଖିବେ। ପାର୍ଟି ତାଙ୍କ ନିର୍ଦ୍ଦେଶରେ କାମ କରୁଥିଲା ଏବଂ ଆଜି ବି କାମ କରୁଛି। ପରୋକ୍ଷରେ ସେ ମଧ୍ୟ ପାଣ୍ଡିଆନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।
ଏଥର ନିର୍ବାଚନରେ ପାଣ୍ଡିଆନ ହିଁ ବିଜେଡି ପକ୍ଷରୁ ପ୍ରଚାର କରୁଥିଲେ। ମଞ୍ଚରେ ଆଉ କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ନେତା ଓ ମନ୍ତ୍ରୀଙ୍କୁ ହତାଦାର କରାଗଲା। ଦଳ ପରାଜୟର ପ୍ରମୁଖ କାରଣ ପାଲଟିଲେ ପାଣ୍ଡିଆନ। ଏହା ପରେ ତାଙ୍କୁ ସୁରକ୍ଷା ଦେବାକୁ ଦଳର ନେତା ଆଗେଇ ଆସିଛନ୍ତି।