ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକରେ ଶୁକ୍ରବାର ନରେନ୍ଦ୍ର ମୋଦୀ ତୃତୀୟ ଥର ସର୍ବସମ୍ମତିକ୍ରମେ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଅର୍ଥାତ ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଜୁନ ୯ ତାରିଖ ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଆଜି ସଂସଦର ସେଣ୍ଟ୍ରାଲ ହଲରେ ସଦସ୍ୟମାନେ ତାଳି ମାରି ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଛନ୍ତି । ମୋଦୀ ପ୍ରଥମେ ସମ୍ବିଧାନକୁ ପ୍ରମାଣ କରିବା ସହ ଗୃହରେ ମୁଣ୍ଡିଆ ମାରିଥିଲେ । ଏହି ସମୟରେ ସମସ୍ତେ ଛିଡା ହୋଇ ମୋଦୀଙ୍କ ପ୍ରଶଂସାରେ ତାଳି ମାରିଥିଲେ ।
ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବାର ପ୍ରସ୍ତାବ ଏନଡିଏ ବୈଠକରେ ଉପସ୍ଥାପନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହାକୁ ଅନୁମୋଦନ କରିଥିଲେ ଅମିତ ଶାହ । ଏହା ଉପରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ବୈଠକରେ ମୋଦୀଙ୍କ ପାଶ୍ୱର୍ରେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ବସିଥିଲେ । ଏହି ସମୟରେ ଶାହ କହିଛନ୍ତି, କେବଳ ଆମର ଇଚ୍ଛା ନୁହେଁ ବରଂ ଦେଶର ୧୪୦ କୋଟି ଜନତାଙ୍କ ଇଚ୍ଛା ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଭାରତ ପାଖରେ ନରେନ୍ଦ୍ର ମୋଦୀଙ୍କ ରୂପେ ସଠିକ ସମୟରେ ଉଚିତ୍ ନେତା ଅଛନ୍ତି ।
ସୂଚନାଯୋଗ୍ୟ, ଦେଶରେ କ୍ରମାଗତ ତୃତୀୟ ଥର ଏନଡିଏ ସରକାର ହେବାକୁ ଯାଉଛି । ଏନଡିଏ ୨୯୩ ସିଟ୍ ଜିତିଥିବା ବେଳେ ଏଥିରୁ ବିଜେପିକୁ ୨୪୦, ଟିଡିପିକୁ ୧୬, ଜେଡିୟୁକୁ ୧୨, ଏକନାଥଙ୍କ ଶିବସେନାକୁ ୭, ଏଲଜେପିକୁ ୫ ସିଟ୍ ମିଳିଛି । ଜେଡିଏସ, ଆରଏଲଡି, ଜେଏସପି ଦଳକୁ ଦୁଇଟି ଲେଖାଏଁ ସିଟ୍ ମିଳିଛି ।