ଭୁବନେଶ୍ୱର: ଆଇପିଏସ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତୀୟ ନିର୍ବାଚନ ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଯିବା ସହ ସେ ମୁଖ୍ୟ ସଚିବଙ୍କ ନିକଟରେ ରିପୋର୍ଟ କରିବେ । ଏଥିସହ ଆଶିଷ ସିଂ ଫିଟ୍ ଥିବା ଇସିଆଇ କହିଛନ୍ତି । ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।
ସୂଚନା ଅନୁଯାୟୀ, ନିଜ ପଦର ଦୁରୁପଯୋଗ କରି ରାଜନୈତିକ ଦଳ ବିଜେଡି ପାଇଁ ନିର୍ବାଚନରେ କାମ କରିବା ଅଭିଯୋଗରେ ନିଲମ୍ବିତ ଆଇପିଏସ ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି ଇସିଆଇ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । କିନ୍ତୁ କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ଇସିଆଇ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ଆଇପିଏସ ଆଶିଷ ସିଂ ଫିଟ୍ ବୋଲି ସ୍ପଷ୍ଟ କଲେ ଇସିଆଇ । ଏମ୍ସ ସ୍ପେଶାଲ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାଇଲେ । ଶାରୀରିକ ଓ ମାନସିକ ଭାବେ ଫିଟ୍ ଅଛନ୍ତି ଆଶିଷ । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭୁଲ ତଥ୍ୟ ଦେଇଥିଲେ । ମେଡିକାଲ ବୋର୍ଡ ରିପୋର୍ଟ ମୁଖ୍ୟ ସଚିବଙ୍କ ପାଖକୁ ଦେବାକୁ କହିଲେ । ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଇପିଏସ ଆଶିଷ ସିଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମେ ୪ ତାରିଖରୁ ଛୁଟିରେ ଥିଲେ । ହେଲେ ସେ ନିର୍ବାଚନରେ ବିଜେଡି ପାଇଁ କାମ କରୁଥିବା ଇସିଆଇଙ୍କ ନିକଟରେ ପ୍ରମାଣ ସହ ଅଭିଯୋଗ କରିଥିଲା ବିଜେପି । ଆଉ ଏହି ଆଧାରରେ ଆଶିଷଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ନେବାକୁ ଇସିଆଇ କହିଛନ୍ତି ।