କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ? ଦୌଡରେ ତିନି ନେତା


ଭୁବନେଶ୍ୱର: ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି । ୧୦ ତାରିଖ ଅର୍ଥାତ ଆଜି ଶପଥ ଗ୍ରହଣ ହେବାର ଥିଲା । ମାତ୍ର ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନାଁ ଉପରେ ଶୀଘ୍ର ମୋହର ମାରିବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ଦୁଇ ନେତା ଓଡିଶା ଆସିବା ପରେ ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ । ବିଧାୟକଙ୍କ ମତାମତ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବ ବୋଲି ଜଣା ଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ତିନି ଜଣ ନେତାଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ଲାଗି ରହିଛି । ସେ ହେଉଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରାପଡାର ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବ୍ରଜରାଜନଗରର ବିଧାୟକ ସୁରେଶ ପୂଜାରୀ ।

ମନମୋହନ ସାମଲ ଯାହାଙ୍କ ସଭାପତିତ୍ୱରେ ପ୍ରଥମ ଥର ଓଡିଶାରେ ବିଜେପି ବିଧାନସଭା ନିର୍ବାଚନ ଜିତି ସରକାର ଗଢିବାକୁ ଯାଉଛି । କାରଣ ଯେଉଁ ସମୟରେ ଓଡିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ଯେଉଁ କସରତ ଜାରି ରହିଥିଲା, ତାହାକୁ ବିରୋଧ କରି ଆସିଥିଲେ ମନମୋହନ ସାମଲ । ସେ ମେଣ୍ଟ ସପକ୍ଷରେ କଦାପି ନ ଥିଲେ ଏବଂ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଏ ବିଷୟରେ ମଧ୍ୟ ରୋକ ଠୋକ ଜଣାଇ ଦେଇଥିଲେ । ଯଦି ଓଡିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହୋଇନି ତାର ଶ୍ରେୟ ମନମୋହନ ସାମଲଙ୍କୁ ଯାଉଛି । ଏହା ସହିତ ସେ ଯେଉଁଭଳି ଭାବେ ଦଳର ବରିଷ୍ଠ ନେତାଙ୍କୁ ଏକଜୁଟ କଲେ ଏବଂ ନେତା କର୍ମୀଙ୍କୁ ନେଇ ନିିର୍ବାଚନ ଲଢିଲେ ତାର ପରିଣାମ ଆଜି ସଭିଙ୍କ ସାମ୍ନାରେ । ଯଦିଓ ସେ ନିବ ନିର୍ବାଚନ ମଣ୍ଡଳୀ ଚାନ୍ଦବାଲିରୁ ହାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅଛନ୍ତି । ରାଜନୀତିରେ ସେ ଜଣେ ଅଭିଜ୍ଞ ଚେହେରା ଏବଂ ମେଳାପୀ ।

ବୈଜୟନ୍ତ ପଣ୍ଡାଙ୍କ ଉପରେ ନଜର ପକାଇଲେ, ସେ ଜଣେ ପୋଖତ ରାଜନୈତା ଏବଂ ବେଶ ଅଭିଜ୍ଞ । ସେ ଦୀର୍ଘ ସମୟ ଧରି ସଂସଦର ପ୍ରତିନିଧିତ୍ୱ କରି ଆସିଛନ୍ତି । ସରକାର କେମିତି ଚଳାଯାଏ ତାର ଅନୁଭୂତି ମଧ୍ୟ ତାଙ୍କ ପାଖରେ ରହିଛି । ବିଶେଷ କରି ସେ ବିଜେଡି ସରକାର ଦୋଷ ଦୁର୍ବଳତା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି । ବିଜେଡିର ଦୁର୍ବଳତା ବିଷୟରେ ତାଙ୍କଠୁ ଅଧିକ ଭଲା ଆଉ କିଏ ଜାଣିଥିବ । କେନ୍ଦ୍ରାପଡାର ତିନି ଥର ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜ୍ୟଠୁ ନେଇ ଜାତୀୟସ୍ତର ରାଜନୀତି ସହ ପ୍ରଶାସନିକ କାମରେ ଅଭିଜ୍ଞତା ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ପଦ ନେଇ ତାଙ୍କ ନାଁ ଚର୍ଚ୍ଚାରେ ରହିଛି । ଏଥିପାଇଁ ସେ ଜଣେ ଉପଯୁକ୍ତ ପ୍ରାର୍ଥୀ ମଧ୍ୟ । ବିଜେଡିର ଦୁର୍ନୀତିକୁ ପଦାରେ ପକାଇ କାର୍ଯ୍ୟାନୁଷ୍ଠାନ ନେବାରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏଥର କେନ୍ଦ୍ରାପଡାରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ପଦରେ ଅଛନ୍ତି ।

ଏବେ ନଜର ପକାଇବା ସୁରେଶ ପୂଜାରୀଙ୍କ ଉପରେ । ସୁରେଶ ପୂଜାରୀ ବିଜେପିର ବରିଷ୍ଠ ନେତା ସହ ଆରଏସଏସ ପରିବ ।ରରୁ ଆସିଛନ୍ତି ।ସମ୍ବଲପୁରରୁ ଜନ୍ମିତ ସୁରେଶ ପୂଜାରୀ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା । ୨୦୧୯ ନିର୍ବାଚନରେ ବରଗଡରୁ ସାଂସଦ ହୋଇଥିବା ସୁରେଶ ପୂଜାରୀ ଏଥର ବ୍ରଜରାଜନଗର ବିଧାନସଭା ସିଟରୁ ନିର୍ବାଚନ ଜିତି ବିଜେଡିର ଗଡକୁ ଧୂଳିସାତ କରିଛନ୍ତି । ସେ ଛାତ୍ରଜୀବନରୁ ରାଜନୀତିରେ ଅଛନ୍ତି । ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ରହିଛନ୍ତି । ସେ ଜଣେ ତୃଣମୂଳସ୍ତରର ନେତା । ତିନି ଦିନ ହେଲା ଦିଲ୍ଲୀରେ ରହି ବିଜେପିର ଶୀର୍ଷ ନେତୃତ୍ୱ ଏବଂ ସଂଗଠନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଆଜି ସେ ଭୁବନେଶ୍ୱର ଫେରିଛନ୍ତି । ତେଣୁ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ରହିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନାଁ ଉପରେ ଶୀଘ୍ର ମୋହର ମାରିବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକ। ଏହା ପରେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ନାଁ ଉପରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହା ସହ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏଥିରେ କେଭି ସିଂହଦେଓ, ମୋହନ ମାଝୀ ଏବଂ ରବି ନାୟକ ପ୍ରମୁଖଙ୍କ ନାଁ ରହିଛି ।