ଝାରସୁଗୁଡା ୧୧/୬ (ଓଡ଼ିଶା ନ୍ୟୁଜ) ୪୯ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ୭ ଟି ଟ୍ରେଲର ଗାଡ଼ିରେ ବିରାଟକାୟ ଯନ୍ତ୍ରାଂଶ ବୋଝେଇ କରି ଏକା ସାଙ୍ଗରେ ଯାଉଥିବା ଯୋଗୁଁ ରାଜପଥରେ ଟ୍ରାଫିକ ଜାମ ପରିସ୍ଥିତି ପାଇଁ ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି । ଝାରସୁଗୁଡା ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଉକ୍ତ ସମୁଦାୟ ୭ ଟି ଭାରିଯାନରୁ ମୋଟ ୧ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଡି ସୂଚନା ଦେଇଛନ୍ତି ।
ସୂଚନା ଥାଉକି ରବିବାର ରାତି ଛତିଶଗଡ଼ ରାୟଗଡ଼ ପଟୁ ୭ ଟି ଟ୍ରେଲର ଗାଡ଼ିରେ ବିରାଟକାୟ ଯନ୍ତ୍ରାଂଶ ବୋଝେଇ ହୋଇ ଝାରସୁଗୁଡା ଅଭିମୁଖେ କୌଣସି ଏକ ଶିଳ୍ପସଂସ୍ଥାକୁ ଏକ ସଙ୍ଗରେ ଯାଉଥିଲା । ଯାହା ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ସଚେତନ ନାଗରିକ ପକ୍ଷରୁ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗକୁ ସୂଚିତ କରିବା ପରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଣ୍ଡି ଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ଅଧିକାରୀ ମାନେ ଆସି ଉକ୍ତ ୭ ଟି ଭାରିଯାନ ରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା କରିଥିଲେ । ପ୍ରକାଶ ଥାଉକି ଗତ ମଇ ୨୦ ତାରିଖ ଭୋଟ ଗ୍ରହଣ ରାତିରେ ମଧ୍ୟ ଅନୁରୂପ ଏକ ସଙ୍ଗରେ ୬ ଟି ଭାରିଯାନ ଯାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ସେମାନଙ୍କ ଠାରୁ ମଧ୍ୟ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ପରିବହନ ବିଭାଗ ପକ୍ଷରୁ ଜୋରିମାନା ଆଦାୟ କରା ଯାଇଥିଲା । ଏପରି ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି କାରୀ ଭାରିଯାନ ଗୁଡ଼ିକ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।