ଝାରସୁଗୁଡା ୧୧/୬ (ଓଡ଼ିଶା ନ୍ୟୁଜ) ଚଳିତ ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ଓଡ଼ିଶାରେ ବିଜେପି ଦଳ ନୂଆ ସରକାର ଗଠନ କରିବାକୁ ଯାଉଥିବା ବେଳେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକବାସୀଙ୍କ ମନରେ ପଦମପୁର-ଜରିମୂଲି ସମ୍ପର୍କ ସେତୁ ନିର୍ମାଣ ଆଶା ଉଜ୍ଜୀବିତ ହୋଇଛି ।
ପ୍ରକାଶ ଥାଉକି ଲଖନପୁର ଅଞ୍ଚଳବାସୀଙ୍କ ଦାବି ଆଧାରରେ ତତ୍କାଳୀନ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ପ୍ରସ୍ତାବ ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ପଞ୍ଚାୟତ ପଦମପୁର ଡଙ୍ଗାଘାଟ ଠାରେ ବରଗଡ଼ ଜିଲ୍ଲା ସହ ସଂଯୋଗ ସ୍ଥାପନ ନିମନ୍ତେ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପ୍ରସ୍ତାବକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମୋଦନ କରିବା ସହ ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମାଣ କାର୍ଯ୍ୟ ହେବା ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହେବାପରେ ସେତୁ ନିର୍ମାଣ କାର୍ଯ୍ୟ ନିର୍ବାହୀ ସଂସ୍ଥା ଓଡ଼ିଶା ସରକାରଙ୍କ ପୁର୍ତ୍ତ ବିଭାଗ ପକ୍ଷରୁ ୨୦୨୩/୨୪ ଆର୍ଥିକ ବର୍ଷରେ ଟେଣ୍ଡର ଆହ୍ୱାନ କରା ଯାଇଥିଲା । ଯେଉଁଥିରେ ସମୁଦାୟ ୫ ଟି ଠିକାସଂସ୍ଥା ଭାଗ ନେଇଥିଲେ । ଗତ ମାର୍ଚ୍ଚ ମାସରେ ଉକ୍ତ ଟେଣ୍ଡର ଖୋଲାଯିବା ପରେ ସେମାନଙ୍କ ମଧ୍ୟରୁ ଏକ ଠିକାସଂସ୍ଥା ଅଯୋଗ୍ୟ ଘୋଷିତ ହୋଇଥିବା ଜଣା ପଡିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଟେଣ୍ଡର ପ୍ରକ୍ରିୟାରେ ବୈଷୟିକ କାରଣ ଦର୍ଶାଇ ସମ୍ପୃକ୍ତ ବିଭାଗ ପକ୍ଷରୁ ଟେଣ୍ଡରକୁ ବାତିଲ କରା ଯାଇଥିଲା । ଯାହା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ କୁ ନେଇ ଆଶା ମଉଳି ଯାଇଥିଲା ।
ଚଳିତ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ନିଜ ନିର୍ବାଚନ ମଣ୍ଡଳୀର ଜନ ସାଧାଣନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ । ଏହି ଅବସରରେ ଅଞ୍ଚଳବାସୀ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବହୁ ଆକାଂକ୍ଷିତ ପଦମପୁର- ଜରିମୂଲି ସେତୁର ଭବିଷ୍ୟତକୁ ନେଇ ପ୍ରଶ୍ନ କରିଥିଲେ । ନବ ନିର୍ବାଚିତ ବିଧାୟକ ଶ୍ରୀ ପୂଜାରୀ ତାଙ୍କ ପ୍ରତ୍ୟୁତ୍ତର ରେ କହିଥିଲେ ଯେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଗତ ଲୋକସଭା ଓ ଚଳିତ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ସମର୍ଥନ ଦେଇ ମୋତେ ଜୟଯୁକ୍ତ କରାଇଛନ୍ତି । ମୁଁ ସାଂସଦ ଥିବା ବେଳେ ଅଞ୍ଚଳବାସୀ ଙ୍କ ଦୀର୍ଘ ଦିନର ଦାବି ପଦମପୁର-ଜରିମୂଲି ସେତୁ ନିର୍ମାଣ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଠାରେ ଉପସ୍ଥାପନ କରିଥିଲି । ଯାହାକି କେନ୍ଦ୍ର ସରକାର ନିର୍ମାଣ କାର୍ଯ୍ୟ ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି । କିନ୍ତୁ ତତ୍କାଳୀନ ଓଡ଼ିଶା ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସେତୁ ନିର୍ମାଣ ପ୍ରକ୍ରିୟା ଆଗକୁ ଆଗେଇ ପାରୁନଥିଲା । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ସହ ଏକକ ସରକାର ଗଠନ ହେବାକୁ ଯାଉଛି । ଯାହା ଫଳରେ ବରଗଡ଼ ଲୋକସଭା ସଂସଦୀୟ କ୍ଷେତ୍ରର ଝାରସୁଗୁଡା ଓ ବରଗଡ଼ ଜିଲ୍ଲା ମଧ୍ୟରେ ରହିଥିବା ଦୂରତା ହ୍ରାସ ସହ ସାମଗ୍ରିକ ବିକାଶ ନିମନ୍ତେ ଉଦ୍ଧିଷ୍ଟ ମହାନଦୀ ଉପରେ ପ୍ରସ୍ତାବିତ ପଦମପୁର-ଜରିମୂଲି ସମ୍ପର୍କର ସେତୁ ନିର୍ମାଣ କାର୍ଯ୍ୟରେ ଆଉ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି ପୂର୍ବତନ ସାଂସଦ ତଥା ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।