ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶପଥ ସମାରୋହରେ ଯୋଗଦେବେ । ଏଥିପାଇଁ ଆଜି ସନ୍ଧ୍ୟାରେ ଜନତା ଜନତା ମଇଦାନରେ ଭବ୍ୟ ଆୟୋଜନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରକୁ କଡ଼ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ନାଁ ଘୋଷଣା ପରେ ଭୁବନେଶ୍ବର ସ୍ଥିତ ତାଙ୍କ ସରକାରୀ ବାସଭବନ ପୋଲିସ ଛାଉଣୀରେ ପରିଣତ ହୋଇଯାଇଛି । ବାସଭବନ ପରିସରକୁ ପୋଲିସ ଓ ସୁରକ୍ଷାକର୍ମୀ ଜଗି ରହିଛନ୍ତି । ଯେଉଁ ଭଳି ଭାବୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ରହି ନଯାଏ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଇଛି ।
ଏଥିସହ ଶପଥ ଗ୍ରହଣ ସମାରୋହ ସ୍ଥଳ ବି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏଁ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡି ଚଳାଚଳ ଉପରେ କଟକଣା ଲାଗିଛି । କେବଳ ଗାଡ଼ି ପାସ୍ ଥିବା ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ । ଅନ୍ୟମାନେ ବିକଳ୍ପ ରାସ୍ତା ବ୍ୟବହାର କରି ପାରିବେ । ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟତ କରିପାରିବ ନାହିଁ ।
ଶପଥ ସମାରୋହ ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୬୭ ପ୍ଲାଟୁନ୍ ଫୋର୍ସ । ତମାମ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଅଛନ୍ତି ଜଣେ ଆଇଜି ଓ ୨ ଡିଆଇଜି । କେବଳ ଜନତା ମଇଦାନ ସୁରକ୍ଷାର ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ସେହିଭଳି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ ପରିଚାଳନା କଥା ବୁଝିବେ । ମୋଟ ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ଅନ୍ୟାନ୍ୟ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିବେ ।
ସେହିପରି କଟକ, ଖୋର୍ଦ୍ଧା, ନନ୍ଦନକାନନ ପଟରୁ ଜୟଦେବ ବିହାର ଓ ନାଲକୋ ଛକ ଆସୁଥିବା ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଭୁବନେଶ୍ୱର ଆସୁଥିବାକୁ କଡ଼ା କଟକଣା ଲାଗୁ କରିଛି କମିଶନରେଟ ପୋଲିସ ।