Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶପଥ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ମୋହନ, ସମାରୋହରେ ଯୋଗ ଦେବାକୁ ଦେଲେ ନିମନ୍ତ୍ରଣ

ଭୁବନେଶ୍ୱର: ଶପଥ ନେବା ପୂର୍ବରୁ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶପଥ ସମାରୋହରେ ଯୋଗ ଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମୋହନ । ନବୀନ ନିବାସରୁ ବାହାରିବା ପରେ ଏ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ମୋହନ କହିଛନ୍ତି ନବୀନଙ୍କୁ ନିମନ୍ତ୍ରଣ କରିବାକୁ ନବୀନ ନିବାସ ଯାଇଥିଲି । ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି । ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ ଜଣାଇଲି । ଆଉ ନବୀନ ବାବୁ ସମାରୋହକୁ ଆସିବାକୁ ସମ୍ମତି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଶପଥ ଉତ୍ସବରେ ଯୋଗ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲା ବିଜେପି । ନବୀନ ନିବାସ ଯାଇ ବିଜେପିର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଏବଂ ସମୀର ମହାନ୍ତି ନବୀନଙ୍କୁ ନିମନ୍ତ୍ରଣ ଦେଇଥିଲେ। ସେଠାରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ସମାରୋହରେ ନିଶ୍ଚିତ ଯିବି ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମୋହନ ମାଝୀଙ୍କ ରୂପେ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ମୋହନ ହେଉଛନ୍ତି ରାଜ୍ୟ ବିଜେପିର ହେବେ ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତି ପରିଡା । ମଙ୍ଗଳବାର ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆଜି ସନ୍ଧ୍ୟା ୪ଟା ୪୫ରେ ଜନତା ମଇଦାନରେ ଶପଥ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରର ବରିଷ୍ଠ ନେତା ଓ ମନ୍ତ୍ରୀ ଯୋଗ ଦେବେ । ଏହା ସହିତ ୩୫ ହଜାର ଜନତା ଯୋଗ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପୁରା ରାଜଧାନୀ ବର୍ତ୍ତମାନ ସୁରକ୍ଷା ବଳୟ ଭିତରେ ରହିଛି । ଡିଜି ଓ କମିଶନରେଟ ପୋଲିସ ନିଜେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ